ଭୁବନେଶ୍ୱର,୨୩/୧୦/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସାମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତ୍ଵରିତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ଭାବ୍ୟ ରୂପେ ପ୍ରଭାବିତ ହେବାକୁ ଥିବା ଚଉଦଟି ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ମାନେ ଆଭାଷୀ ମାଧ୍ୟମରେ ସାମିଲ ହୋଇଥିଲେ ।
ବୈଠକରେ ପ୍ରମୁଖ ଶାସନ ସଚିବ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ସାମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତ୍ଵରିତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସାମଗ୍ରିକ ରୂପେ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଅକ୍ଟୋବର ୨୪ ରାତିରେ କିମ୍ବା ଅକ୍ଟୋବର ୨୫ ତାରିଖ ସକାଳେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ବାତ୍ୟା ‘ଦାନା’ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଥିବାରୁ ନିୟନ୍ତ୍ରଣ କକ୍ଷଗୁଡ଼ିକ (Control Room) 24/7 କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହାସହ ପାଇପ୍ ଜଳ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା, ସମସ୍ତ ଓଭରହେଡ୍ ଟ୍ୟାଙ୍କରେ ନିଶ୍ଚିତ ଭାବରେ ପାଣି ଭର୍ତ୍ତି କରି ରଖିବା , ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ PVC ୱାଟର ଟ୍ୟାଙ୍କ ସ୍ଥାପନ କରି ସେଗୁଡିକରେ ପାନୀୟଜଳ ମହଜୁଦ ରଖିବା ସହ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳକୁ ନିରନ୍ତର ଭାବେ ନିରାପଦ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ଵାରୋପ କରିଥିଲେ । ଆବଶ୍ୟକତା ଅନୁଯାୟୀ ପ୍ରଭାବିତ ଅଞ୍ଚଚଳରେ ଟ୍ୟାଙ୍କର୍ ଯୋଗେ ନିରାପଦ ପାନୀୟ ଜଳ ବ୍ୟବସ୍ଥା କରାଯିବ । ଏହାସହ ପାନୀୟ ଜଳ ଉତ୍ସକୁ ନିରାପଦ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡରର ଷ୍ଟକ୍ ନିଶ୍ଚିତ କରାଯାଇଥିବା ଆଲୋଚନା ହୋଇଥିଲା ।
ଏହି ସମସ୍ତ କାର୍ଯ୍ୟ ଜିଲ୍ଲା ପ୍ରଶାସନ ସହ ଆବଶ୍ୟକୀୟ ସମନ୍ବୟ ରକ୍ଷା ଦ୍ୱାରା କାର୍ଯ୍ୟକାରୀ କରିବା ଓ ଆବଶ୍ୟକ ସ୍ଥଳେ ପଡୋଶୀ ଜିଲ୍ଲା/ବ୍ଲକ ର ସହାୟତାରେ କାର୍ଯ୍ୟ ସମ୍ପାଦନ ପାଇଁ ଶ୍ରୀ ଲୋହାନୀ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବାତ୍ୟା ‘ଦାନା’ ମୁକାବିଲାର ଜରୁରୀକାଳୀନ ପରିସ୍ଥିତିରେ କୌଣସି ଅଧିକାରୀ ଓ କର୍ମଚାରୀ ମୁଖ୍ୟାଳୟ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
-0-
ବିନାୟକ ମିଶ୍ର, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ