ବିଏମସି ଅଧିକାରୀଙ୍କୁ ଘେରିଲେ ଉଠାଦୋକାନୀ – ୨୭ ତାରିଖ ଦିନ ୩୦ ହଜାରରୁ ଅଧିକ ଉଠାଦୋକାନୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ
ଭୁବନେଶ୍ୱର,୨୧/୧୨/୨୦୨୪ (ଓଡ଼ିଶା ସମାଚାର)- ଶନିବାର ଢୁ ଢୁ ବର୍ଷାରେ ବିଏମସି, ବିଡ଼ିଏର ଉଚ୍ଛେଦକାରୀ ଦଳ ୱାର୍ଡ଼ ନଂ-୪୦, ୫୬, ୫୭, ୫୮, ୧୨ ଓ ୧୭ରେ ପହଂଚି ଉଠାଦୋକାନୀମାନଙ୍କୁ ଡ୍ରୋଜର ସାହାଯ୍ୟରେ ଉଚ୍ଛେଦ କରିବା ପାଇଁ ଜୋର ଜବରଦସ୍ତ ପ୍ରୟାସ କରୁଥିବା ବେଳେ ଉତର ନିର୍ବାଚନ ମଣ୍ଡଳୀର ଆପୋଲୋ ହସ୍ପିଟାଲଠାରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନର ଉପସଭାପତି ବିପିନ ଦାସ ସେଠାରେ ପହଂଚି ବିଏମସି କମିଶନର ଦେଇଥିବା ପ୍ରତିଶ୍ରୁତି ଉଚ୍ଛେଦ ହେବ ନାହିଁ ବୋଲି ବିଏମସି ଓ ବିଡ଼ିଏର ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିବାରୁ ଉଚ୍ଛେଦକାରୀ ଦଳ ସନ୍ତୋଷ ଜନକ ଉତର ନଦେବାରୁ ଉତେଜନା ପ୍ରକାଶ ପାଇଥିଲା । ଏହାପରେ ଟଙ୍କପାଣି ରୋଡ଼ଠାରେ ହଠାତ୍ ଉଚ୍ଛେଦକାରୀ ଦଳ ଉଠାଦୋକାନ ଭାଙ୍ଗିବା ସମୟରେ ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ସେଠାରେ ପହଂଚି ପ୍ରତିରୋଧ କରିଥିଲେ । ସେଠାରେ ଥିବା ଉଠାଦୋକାନୀମାନେ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ ବୋଲି ସ୍ଲୋଗାନ ଦେଇଥିଲେ । ପରିଶେଷରେ ସମସ୍ତ ଜାଗାରୁ ଉଚ୍ଛେଦକାରୀ ଦଳ ଦୋକାନ ନ ଭାଙ୍ଗି ଫେରି ଯାଇଥିଲେ ।
ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଅଭିଯୋଗ କରିଛନ୍ତି ଯେ, ବର୍ତମାନ ରାଜ୍ୟରେ ଦୁଇଦିନ ହେବ ବର୍ଷା ଲାଗି ରହିଥିବା ସମୟରେ ବହୁ ଦୋକାନରେ ପାଣି ପଶି ସେମାନଙ୍କ ଆସବାବ ପତ୍ର ନଷ୍ଟ ହୋଇଗଲାଣି । ପ୍ରଧାନମନ୍ତ୍ରୀ ସ୍ୱରୋଜଗାର ଯୋଜନାରେ ହଜାର ହଜାର ଉଠାଦୋକାନୀ ଋଣ ଆଣି ବ୍ୟବସାୟ କରୁଛନ୍ତି । କିନ୍ତୁ ବିଏମସି ସେମାନଙ୍କ ଦୋକାନ ଉଚ୍ଛେଦ କରିବା ଫଳରେ, ସେମାନେ ବ୍ୟାଙ୍କଋଣ ଶୁଝିନପାରି ଦେବାଳିଆ ହୋଇ କୌଣସି ଅସାମାଜିକ କାର୍ଯ୍ୟ କରିବାକୁ ପଛଘୁଂଚା ଦେବେନାହିଁ । ଯାହାଫଳରେ ସେମାନଙ୍କ ପରିବାର ଏକ ପ୍ରକାର ବରବାଦ ହୋଇଯାଏ । ବିଏମସି ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଶ୍ରୀଯୁକ୍ତ ସାହୁ ଅଭିଯୋଗ କରିଛନ୍ତି ।
ଏଠାରେ ସୂଚନାଥାଉକି, ଗତ ଦୁଇଦିନ ତଳେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତର ବିଧାୟକ ସୁଶାନ୍ତ କୁମାର ରାଉତ ବିଏମସି କମିଶନରଙ୍କୁ ଭେଟି ଉଠାଦୋକାନୀଙ୍କୁ ଉଚ୍ଛେଦ ନ କରିବା ପାଇଁ ଦାବି କରିଥିଲେ । ବିଏମସି କମିଶନର ପ୍ରତିଶ୍ରୁତି ଦେଇଥିଲେ ଯେ, ଉଠାଦୋକାନ ଆଉ ଉଚ୍ଛେଦ ହେବନାହିଁ । କିନ୍ତୁ କମିଶନର ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଛି । ତେଣୁ ମହାସଂଘ ଆସନ୍ତା ୨୭ ତାରିଖ ଦିନ ୩୦ ହଜାରରୁ ଅଧିକ ଉଠାଦୋକାନୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଶ୍ରୀ ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ବର୍ଷାରେ ଉଠାଦୋକାନ ଉଚ୍ଛେଦ ସମୟରେ ଉତେଜନା
