ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ୧୩ଟି ବିଭାଗର ୧୦୦ଜଣ ସରକାରୀ ଅଧିକାରୀ
ଭୁବନେଶ୍ୱର,୨୧/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି।

ଓଡ଼ିଶା ସରକାରଙ୍କ ୧୩ ଟି ବିଭାଗରୁ ମୋଟ୍ ୧୦୦ଜଣ ସରକାରୀ ଅଧିକାରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଲିଖନ କୌଶଳ, ଓଡ଼ିଆ ବାକ୍ୟ ଗଠନ, ଓଡ଼ିଆରେ ଚିଠା ଓ ଟିପ୍ପଣୀ ପ୍ରସ୍ତୁତ, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ ଏବଂ ଓଡ଼ିଆ ଭାଷାରେ ଆଦେଶନାମା ପ୍ରସ୍ତୁତି, ପ୍ରଶାସନିକ ଶବ୍ଦ ଚୟନ, ବନାନ ଶୁଦ୍ଧତା, ଇଂରାଜୀରୁ ଓଡ଼ିଆ ଅନୁବାଦ, କମ୍ପୁଟର ଓ ଓସ୍ୱାସ୍ରେ ଓଡ଼ିଆରେ ସରକାରୀ କାର୍ଯ୍ୟ ସମ୍ପାଦନ ଆଦିକୁ ନେଇ ସରକାରୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ଡକ୍ଟର ବୈଷ୍ଣବ ଚରଣ ମହାନ୍ତି, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ଶ୍ରୀ ସୁରେନ୍ଦ୍ର କୁମାର ଦାଶ, ଶ୍ରୀ ସ୍ମୃତିରଞ୍ଜନ ମିଶ୍ର, ଡକ୍ଟର ଦେବାଶିଷ ମହାପାତ୍ର ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ସରକାରୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ସମାରୋହରେ ମାନପତ୍ର ପ୍ରଦାନ କରାଯାଇଥିଲା।
ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ମିତା ମହାନ୍ତି, ଉପ-ନିର୍ଦ୍ଦେଶକ ଶ୍ରୀମତୀ ଦେବଯାନୀ ଭୂୟାଁ, ଓଡ଼ିଆ ଭାଷା ପ୍ରତିଷ୍ଠାନର ବିତ୍ତ ତଥା ପ୍ରଶାସନିକ ଅଧିକାରୀ ଡ଼. ଅନନ୍ୟା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
-0-
ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
