ସଂସଦ ପରିସରରେ ରାହୁଲ ଗାନ୍ଧୀଙ୍କ ଆଚରଣକୁ ଦୃଢ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

ରାହୁଲ ଗାନ୍ଧୀଙ୍କ ଗୁଣ୍ଡାଗିରି ଏବଂ  ଅସଲ ଚେହେରା ପଦାରେ ପଡିଛି – ଧର୍ମେନ୍ଦ୍ର ପ୍ରଧାନ

• ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଲେ  କେନ୍ଦ୍ରମନ୍ତ୍ରୀ
• ଏ ରାହୁଲ ଗାନ୍ଧୀଙ୍କ ବୁଦ୍ଧି କେବେ ହେବ ? ଏହି ଭୁଲ ପାଇଁ ସେ କ୍ଷମା ମାଗନ୍ତୁ
• ସାମନ୍ତବାଦୀ ଚିନ୍ତାଧାରାରେ ଗ୍ରସିତ ରାହୁଲ ଗାନ୍ଧି ଅସହାୟତାର ସୀମା ଅତିକ୍ରମ କରିଛନ୍ତି
• ‘ଗଣତନ୍ତ୍ରର ମନ୍ଦିର’ରେ ଶାରୀରିକ ନିର୍ଯାତନା ଏବଂ ଧମକର କୌଣସି ସ୍ଥାନ ନାହିଁ
• ତାଙ୍କର ଆଚରଣ ସଂସଦୀୟ ମୂଲ୍ୟବୋଧର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୯ (ଓଡ଼ିଶା ସମାଚାର)- ସଂସଦ ପରିସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଧକ୍କା କାରଣରୁ ଆଘାତ ପାଇ ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଏଭଳି ଭୁଲ ପାଇଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବା ପାଇଁ ସେ ଦାବି କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାମନ୍ତବାଦୀ ଚିନ୍ତାଧାରାରେ ଗ୍ରସିତ ରାହୁଲ ଗାନ୍ଧି ଅସହାୟତାର ସୀମା ଅତିକ୍ରମ କରିଛନ୍ତି । ଯେଉଁମାନେ ମିଛ ଭଲ ପାଇବାର ବାର୍ତ୍ତା ବାଣ୍ଟୁଛନ୍ତି, ସମ୍ବିଧାନର କଥା କହୁଛନ୍ତି, ବି ଆର୍.ଆମ୍ବେଦକରଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନଙ୍କର ଗୁଣ୍ଡାଗିରି  ଏବଂ ଅସଲ ଚେହେରା ସାମ୍ନାକୁ ଆସିଛି ।  ‘ଗଣତନ୍ତ୍ରର ମନ୍ଦିର’ରେ ଶାରୀରିକ ନିର୍ଯାତନା ଏବଂ ଧମକର କୌଣସି ସ୍ଥାନ ନାହିଁ । ସଂସଦୀୟ ଶାଳୀନତା ପ୍ରତି ଏଭଳି ଘୃଣା ; ବିରୋଧୀ ଦଳ ପାଇଁ ଠିକ୍ ନୁହେଁ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବୁଦ୍ଧି କେବେ ହେବ ? ସଂସଦ ତାଙ୍କର ବ୍ୟକ୍ତିଗତ ଅଧିକାର ନୁହେଁ । ତାଙ୍କ ଅହଙ୍କାର, ଅଧିକାର ସାବ୍ୟସ୍ତ ଭାବନା ଓ ସାମନ୍ତବାଦୀ ଆଚରଣ ଆଜି ନିର୍ବାଚିତ ସାଂସଦମାନଙ୍କୁ ଗଭୀର ଆଘାତ ଦେବା ସହ ଜୀବନକୁ ବିପଦରେ ପକାଇଛି । ତାଙ୍କ ଆଚରଣ ଓ ଅସଦାଚରଣକୁ ଦୃଢ଼ ଭାବେ ନାପସନ୍ଦ କରୁଛନ୍ତି । ତାଙ୍କର ଏହି ପିଲାଳିଆମି କାର୍ଯ୍ୟ କେବଳ ନିନ୍ଦାରେ ସୀମିତ ନୁହେଁ । ତାଙ୍କର ଆଚରଣ ସଂସଦୀୟ ମୂଲ୍ୟବୋଧର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *