ସଂଖ୍ୟାଲଘୁ ସଂପ୍ରଦାୟର ଥାନାରେ ଏତଲା
କେନ୍ଦ୍ରାପଡ଼ା,୦୯/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଶହ ଯୋଗ୍ୟ ସଂଖ୍ୟାଲଘୁ ଭୋଟରଙ୍କ ନାମ କାଟିଦେବା ପାଇଁ ଷଡଯନ୍ତ୍ର ହୋଇଛି । ଏନେଇ କେନ୍ଦ୍ରାପଡା ଟାଉନଥାରେ ଏତଲା ଦିଆଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି କେନ୍ଦ୍ରାପଡା-୯୭(ଏସସି) ଅନ୍ତର୍ଗତ କେନ୍ଦ୍ରାପଡା ପୈାରାଳର ୧୬ ନମ୍ବର ୱାର୍ଡ ଫକୀରାବାଦର ବୁଥ ନମ୍ବର-୨୫୩ ଓ ୨୫୪ରେ ୨ଜଣ ବିଜେପି ଦଳର ବୁଥ ଲେଭେଲ ଏଜେନ୍ଟ(ବିଏଲଏ) ହୃଷିକେଶ ସାହୁ ଓ ଦେବେନ୍ଦ୍ର ପ୍ରସାଦ ମେକାପ ଉଭୟ ବୁଥରେ ୨ଶହ ଲେଖାଏଁ ଭୋଟରଙ୍କ ନାମ କାଟିଦେବା ପାଇଁ ଫର୍ମ ନମ୍ବର-୭ରେ ଆବେଦନ କରିଛନ୍ତି ।
ସେହି ଭୋଟରମାନେ ଏବେ ଜୀବିତ ଅଛନ୍ତି ଓ ସେମାନେ ଯୋଗ୍ୟ ଭୋଟର ବୋଲି ଅଭିଯୋଗ ହୋଇଛି । ସେମାନେ ଫକୀରାବାଦ ଗ୍ରାମର ସ୍ଥାୟୀ ବାସିନ୍ଦା ତଥା ପଞ୍ଜିକୃତ ବୈଧ ଭୋଟର ଅଟନ୍ତି । ଏଭଳି ଏକ ସଙ୍ଗୀନ ଅପରାଧିକ ଷଡ଼ଯନ୍ତ୍ର ଏବଂ ଜାଲିଆତି ସମ୍ପର୍କରେ ବିଜେଡିର ବୁଥଲେଭେଲ ଏଜେନ୍ଟ(ବିଏଲଏ) ମହମ୍ମଦ ଜାକିର ଓ ମୀର ୟାସିର ଆରାଫତ ଅବଦୁଲ ମଜିଜ କେନ୍ଦ୍ରାପଡା ଟାଉନ ଥାନାରେ ଏତଲା ଦେଇଛନ୍ତି । ଉଭୟ ଏଜେନ୍ଟଙ୍କୁ ସମର୍ଥନ କରି ଅବଦୁଲ ମଜିଦଙ୍କ ନେତୃତ୍ୱରେ ବିଜୁଜନତାଦଳର ହିବଜୁର ରହେମାନ, ମହମ୍ମଦ ନିଆଜ(ମତୁ), ମୀର କୁବେର, ଓସିଉଲ୍ଲା ଖାନ,ସେକ ଅକ୍ତର, ଅମୀର ଅହେମ୍ମଦ, ଗୋରା ଖାଁ, ବାସା ଖାଁ ଓ କଂଗ୍ରେସ ପକ୍ଷରୁ ସୟଦ ଅବଦୁଲ ସତାର, ତାଜୁଦ୍ଧିନ ଖାଁ, ଫୁରକାନ ଖାନ ପ୍ରମୁଖ କେନ୍ଦ୍ରାପଡା ଟାଉନ ଥାନାକୁ ଯାଇ ଏତଲା ଦେବାସହିତ କେନ୍ଦ୍ରାପଡା ଉପଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ସେମାନେ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ଦଳ ପକ୍ଷରୁ ସଂଖ୍ୟାଲଘୁ ଭୋଟରମାନଙ୍କ ନାମ ଉଦ୍ଧେଶ୍ୟମୂଳକ କାଟିଦିଆଯିବାକୁ ଷଡଯନ୍ତ୍ର କରାଯାଇଛି । ସେହିପରି ଅଭିଯୁକ୍ତ କର୍ମଚାରୀଙ୍କୁ ବିଭ୍ରାନ୍ତ କରିବା ଏବଂ ଗ୍ରାମବାସୀଙ୍କ ସାମ୍ବିଧାନିକ ମତଦାନ ଅଧିକାରକୁ ଛଡାଇ ନେବା ଉଦ୍ଧେଶ୍ୟରେ ଏହା କରାଯାଇଛି । ଏହା ଲୋକ ପ୍ରତିନିଧ୍ୱ ଆଇନ ୧୯୫୦ ର ଧାରା ୩୧ ଅନୁଯାୟୀ ଏକ ସଙ୍ଗୀନ ଆଇନଗତ ଅପରାଧ । ତେଣୁ ସମସ୍ତ ଜାଲ କାଗଜପତ୍ର ଜବତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଖ୍ୟାଲଘୁ ଭୋଟରମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଫକିରାବାଦରେ ଏଭଳି ଘଟଣା ଜାଣିବା ପରେ ପୌରାଂଚଳର ଅନ୍ୟ ସଂଖ୍ୟାଲଘୁ ୱାର୍ଡ ଗୁଡିକରେ ଅସନ୍ତୋଷ ପ୍ରକାଶ ପାଇଛି ।
