ବିଚାରାଧୀନ ଦେୟ ଏବଂ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦେଲେ ପରାମର୍ଶ
ଭୁବନେଶ୍ୱର, ୧୮/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଶିଳ୍ପ ସଂସ୍ଥା ମାନଙ୍କ ଉପରେ ରହିଥିବା ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଶିଳ୍ପ ସଂସ୍ଥା ଗୁଡିକରୁ ନିଜସ୍ୱ ଉତ୍ପାଦନ ଉପରେ ବକେୟା ଥିବା ବିଦ୍ୟୁତ ଶୁଳ୍କ ଏବଂ ଏହାର ସବିଶେଷ କାରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବିଦ୍ୟୁତ ଶୁଳ୍କ ଛାଡ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ଅନ୍ୟାନ୍ୟ ଅଦାଲତରେ ବିଚାରଧିନ ଥିବା ବିଭିନ୍ନ ମାମଲା ଯୋଗୁଁ ବକେୟା ଶୁଳ୍କ ଆଦାୟ କରିବା ପ୍ରାୟତଃ ସମ୍ଭବପର ହେଉନଥିବାର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ବକେୟା ବିଦ୍ୟୁତ ରାଶି ଆଦାୟ ପାଇଁ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନିଆ ଯାଉଛି । ଆଡଭୋକେଟ ଜେନେରାଲ ଏବଂ ବିଭାଗୀୟ ପରାମର୍ଶଦାତାଙ୍କ ପରାମର୍ଶ ଅନୁଯାୟୀ ଅଦାଲତର ବିଚାରାଧିନ ଥିବା ବିଭିନ୍ନ ମାମଲା ଗୁଡିକର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶକ୍ତି ବିଭାଗ ଆଇନ ପରାମର୍ଶଦାତା ଶ୍ରୀ ସଞ୍ଜୟ ସେନ ଅନଲାଇନ ମାଧ୍ୟମରେ ଯୋଡ଼ିହୋଇ ବୈଠକରେ ଯୋଗଦେଇ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ଉପାୟ ଉପରେ ଆଲୋକପାତ କରିଥିଲେ ।