ରାଜନଗର, ୧୮/୧୨/୨୦୨୩ (ଓଡ଼ିଶା ସମାଚାର)- ସବୁଦିନିଆ ରାସ୍ତା ଦେଖିବେ ଏକମାଣିଆ ଗାଁ ଲୋକେ।ସୁଦୃଢ଼ ହେବ ଆଳି ଓ ରାଜନଗର ବ୍ଲକର ସମ୍ପର୍କ। ଆଉ ଭୋଗିବାକୁ ପଡ଼ିବ ନାହିଁ ବାରମାସରେ ରାସ୍ତାର ହୀନସ୍ତା। ରାଜ୍ୟ ସରକାରଙ୍କ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନ ଗତ ଏପ୍ରିଲ ମାସ ୨୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଆଳି ଓ ରାଜନଗର ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦୁଇଟି ନିର୍ବାଚନ ମଣ୍ଡଳୀର ଏକମାତ୍ର ଯୋଗାଯୋଗର ମାଧ୍ୟମ ଜଳପଥ ଓ ଡଙ୍ଗା ଏକମାତ୍ର ଭରଷା ବୋଲି ଅଭିଯୋଗ ପାଇବା ଓ ଏଠାରେ ବର୍ଷାନୁବର୍ଷ ଡଙ୍ଗା ଦୁର୍ଘଟଣା ଘଟି ଆହତ ଏବଂ ମୃତାହତ ହେବା ନେଇ ଅଭିଯୋଗ ପାଇବା ପରେ ଏଠାରେ ନିତିଦିନିଆ ପୋଲଟିଏ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଆଳି ଓ ରାଜନଗର ବ୍ଲକ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀ ଉପରେ ପୋଲଟିଏ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପୋଲ ନିର୍ମାଣ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଆଜି କେନ୍ଦ୍ରାପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନ ପ୍ରଥମେ ନିର୍ମାଣାଧୀନ ପୋଲର ସମୀକ୍ଷା କରିଛନ୍ତି।”ବିଜୁ ସେତୁ ଯୋଜନା”ରେ ୫୯ କୋଟି ୮୭ ଲକ୍ଷ ୮୪ ହଜାର ୯୨୨ ଟଙ୍କା ବ୍ୟୟରେ ଏହି ବିଜୁ ସେତୁ ନିର୍ମାଣ କାମ ହାତକୁ ନେଇଛି ଶୈଳବାଳା ଇନ୍ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ଼ ନାମକ କମ୍ପାନୀ। ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ- ୨ ଅଧିନରେ ଏହି କାମ ଗତ ସେପ୍ଟେମ୍ବର ୮ ତାରିଖରେ ଆରମ୍ଭ ହୋଇଥିବା ବେଳେ ୭ ମାର୍ଚ୍ଚ,୨୦୨୬ ରେ ଏହାର ନିର୍ମାଣ କାର୍ୟ୍ୟ ଶେଷ ହେବ ବୋଲି ସୂଚନା ମିଳିଛି। ତେବେ ଆଜିର ଗସ୍ତ ସମୟରେ ମାନ୍ୟବର ୫ଟି ଅଧ୍ୟକ୍ଷ ବିଜୁ ସେତୁ ନିର୍ମାଣ କାର୍ୟ୍ୟର ନିରୀକ୍ଷଣ କରିବା ସହ ଏହାର ଟେକନିକାଲ ଟିମ ସହ ଆଲୋଚନା କରି ସେତୁର ଦୀର୍ଘ ସ୍ଥାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ।୫ଟି ଅଧ୍ୟକ୍ଷ ହେଲିକପ୍ଟର ଯୋଗେ କେରଡ଼ାଗଡ଼ ନିକଟରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଏହି ସେତୁ ନିର୍ମାଣ ସ୍ଥାନକୁ ଆସି ସମୀକ୍ଷା କରି ଫେରିଛନ୍ତି। ଏହି ସେତୁ ନିର୍ମାଣ ହେଲେ ଆଳି ଓ ରାଜନଗର ଦୁଇଟି ବ୍ଲକର ଅନ୍ୟୁନ ୩ଲକ୍ଷରୁ ଅଧିକ ଲୋକେ ଉପକୃତ ହେବାକୁ ଥିବା ବେଳେ ଏହି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବିକାଶ ହେବ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ। ଏଠାରେ ସୂଚନାଯୋଗ୍ୟ,ଗତ ଏପ୍ରିଲ ମାସରେ ତତ୍କାଳୀନ ସଚିବ ତଥା ଏବର ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ସେତୁ ନିର୍ମାଣ ପାଇଁ ଦାବି କରାଯାଇ ହୋ ହଲ୍ଲା କରାଯାଇଥିଲା।ଗସ୍ତର ମାତ୍ର କେଇଦିନ ଆଗରୁ ଏଠାରେ ଡଙ୍ଗା ବୁଡି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାରୁ ତାତିଥିଲେ ଲୋକେ।