ଯାଜପୁର, ୦୮/୧୨/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଯାଜପୁରର କୁସୁମା ସମ୍ମୁଖସ୍ଥ ପଡିଆଠାରେ ଜିଲ୍ଲାସ୍ତରୀୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ଚଳିତ ବର୍ଷ ସରକାର ଚାଷୀ ମାନଙ୍କଠାରୁ ଧାନ କ୍ରୟ ଉପରେ ବହୁତ ଫୋକସ କରୁଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ କରିବେ। ଏହା ଦ୍ବାରା ଚାଷୀମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବ। ସେମାନେ ଅଧିକ ଉତ୍ପାଦନ କରିବା ସହିତ ଅର୍ଥନୈତିକ କ୍ରିୟାଶୀଳତା ନିମନ୍ତେ ସହାୟକ ହୋଇପାରିବ। ଚାଷୀମାନେ କିଭଳି ମଣ୍ଡିରେ ହଇରାଣ ହେବେ ନାହିଁ ଏବଂ ସେମାନଙ୍କଠାରୁ ଧାନ ଠିକ୍ ସମୟରେ କିଣାଯିବ ଏବଂ ଠିକ୍ ଦାମ୍ ମିଳିବ ସେଥିପ୍ରତି ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ପ୍ରତି ମଣ୍ଡି ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ନିୟୋଜିତ ହୋଇଛନ୍ତି ଓ ୩ ରୁ ୪ ଟି ମଣ୍ଡି ପାଇଁ ଜଣେ ଜଣେ ସୁପରଭାଇଜର ରହିବେ। ନୋଡାଲ ଅଧିକାରୀ ଓ ସୁପରଭାଇଜର ମାନେ ଧାନ କ୍ରୟ ପ୍ରକ୍ରିୟା ତଦାରଖ କରିବେ। ନୋଡାଲ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଧାନ କ୍ରୟ ପ୍ରକ୍ରିୟାରେ କେବଳ ଯୋଗାଣ ଓ ସମବାୟ ବିଭାଗ ସହିତ ସମସ୍ତ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସଂପୃକ୍ତ ହେବେ। ବ୍ଲକ, ସବଡିଭିଜନ ଓ ଜିଲ୍ଲାସ୍ତରରେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଛି। ପ୍ରତ୍ୟେକ ମଣ୍ଡିରେ ଅସ୍ଥାୟୀ ସେଡ୍ ନିର୍ମାଣ, ଟଏଲେଟ୍ ଓ ପାନୀୟଜଳର ସୁବିଧା କରାଯିବ। ଏଫ୍.ଏ.କ୍ୟୁ ଧାନର ମାନ ସମ୍ପର୍କରେ ପଞ୍ଚୟତସ୍ତରରେ ସଚେତନତା କାର୍ଯ୍ୟକ୍ରମ ହେବ ଏବଂ ଚାଷୀ ମାନଙ୍କୁ ସଚେତନ କରାଯିବ। ଏହି ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣ ଆଭାସୀ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିବା ସହିତ ଏଫ୍.ଏ.କ୍ୟୁ ଧାନର ମାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲ୍ଲାପାଳ ଅଂଶୁମାନ ଶତପଥୀ, ଏ.ଆର.ସି.ଏସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଯାଜପୁର ସାଂସଦଙ୍କ ପ୍ରତିନିଧି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୦ ଗୋଟି ବ୍ଲକ୍ ରୁ ଚାଷୀ, ସ୍ଵୟଂ ସହାୟକ ସଦସ୍ୟ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ବିଭିନ୍ନ ସାଂସ୍କୃତିକ ଦଳମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯୋଗାଣ ବିଭାଗ, କୃଷି ବିଭାଗ, ସମବାୟ ବିଭାଗ ଓ ଉଦ୍ୟାନକୃଷି ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ୍ ଆୟୋଜିତ ହୋଇଥିଲା।