# ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଚାଷୀଙ୍କ ହେବ ମତ ବିନିମୟ
#ବିଭିନ୍ନ କୃଷି ଯୋଜନା ସମ୍ପର୍କରେ ମିଳିବ ସୂଚନା
ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର /ପିଆଇବି) : ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଭାରତ ସରକାରଙ୍କ ପ୍ରମୁଖ ଯୋଜନା ପିଏମ୍- କିଷାନର ୨୦ତମ କିସ୍ତି ଆବଂଟନ ଉପଲକ୍ଷେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)-କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟପାଳନ ସଂସ୍ଥା (ସିଫା) ଭୁବନେଶ୍ୱର ପକ୍ଷରୁ ୨୦୨୫ ମସିହା ଅଗଷ୍ଟ ୨ ତାରିଖରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ ୨୦ତମ କିସ୍ତି ପ୍ରଦାନ କରିବେ, ଯାହାର ସିଧା ପ୍ରସାରଣ ସାରା ଦେଶରେ ହେବ ।
ଏହି ଜାତୀୟ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଆଇସିଏଆର-ସିଫାକୁ ଓଡ଼ିଶା ପାଇଁ ରାଜ୍ୟସ୍ତରୀୟ ସମାରୋହର ସ୍ଥାନ ଭାବରେ ମନୋନୀତ କରାଯାଇଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । ସିଫା କ୍ୟାମ୍ପସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦୦ରୁ ଅଧିକ ଚାଷୀ, ବରିଷ୍ଠ ଅଧିକାରୀ, କୃଷି ବୈଜ୍ଞାନିକ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେବାର ଆଶା କରାଯାଉଛି ।
କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଚାଷୀମାନଙ୍କ ମତବିନିମୟ, ସଫଳତା କାହାଣୀ ବାଣ୍ଟିବା, ବିଭିନ୍ନ କୃଷି ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ ଏବଂ ମତ୍ସ୍ୟଚାଷ ଏବଂ ଜଳକୃଷି କ୍ଷେତ୍ରରେ ସର୍ବୋତମ ଅଭ୍ୟାସକୁ ପ୍ରୋତ୍ସାହନ ଆଦି ଅନ୍ତର୍ଭୁକ୍ତ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ସହିତ ମତବିନିମୟ କରିବେ ଏବଂ କୃଷକଙ୍କ ଆୟ ବୃଦ୍ଧି କରିବାରେ କୃଷି ଏବଂ ବୈଜ୍ଞାନିକ କୃଷି ପଦ୍ଧତିର ଗୁରୁତ୍ୱ ଉପରେ ଆଲୋକପାତ କରିବେ ।
