ଡେରାବିଶ, ୦୮/୧୨/୨୦୨୪ (ଓଡ଼ିଶା ସମାଚାର)- ଜିଲାର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ବୈଭବକୁ ଉଦ୍ ଜୀବିତ କରି ରଖିବା ପାଇଁ ଡେରାବିଶ ମହୋତ୍ସବ ଅନୁଷ୍ଠିତ ହୋଇଆସୁଅଛି । ଚଳିତ ଡିସେମ୍ବର ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଶନିବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରଶାସନ ଓ ଡେରାବିଶ ସାଂସ୍କୃତିକ ସଂଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଅଧ୍ୟକ୍ଷତା କରି ମହୋତ୍ସବରେ ଚଳିତବର୍ଷ ଜିଲାର ଲୋକକଳାକୁ ଅଧିକ ଗୁରୁତ୍ୱ ଦେବାକୁ ମତବ୍ୟକ୍ତ କରିଥିଲେ । ଏଥିସହିତ ମହୋତ୍ସବରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀ ଉପରେ ଗୁରୁତ୍ୱାରୋପ କରିଥିଲେ । ମହୋତ୍ସବ ସମୟରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ପାନୀୟଜଳ ଓ ପରିମଳ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଏଥିସହିତ ବାହାର ଜିଲାରୁ ଆସୁଥିବା ସାଂସ୍କୃତିକ ଦଳ ଗୁଡିକ କିପରି ଶୃଙ୍ଖଳିତ ଭାବେ ନୃତ୍ୟ ପ୍ରଦର୍ଶନ କରିପାରିବେ ସେ ନେଇ ବୈଠକରେ ଉପସ୍ଥିତ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ । ମହୋତ୍ସବକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେରାବିଶ ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି, ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ, ଜିଲା ପ୍ରକଳ୍ପ ପରିଚାଳକ ଆରତୀ ନାୟକ, କେନ୍ଦ୍ରାପଡା ସହକାରୀ ଅଗ୍ନିଶମ ଅଧିକାରୀ ଅମୃନ ଗୌରବ, ଡେରାବିଶ ସହକାରୀ ଅଗ୍ନିଶମ ଅଧିକାରୀ ବନମାଳୀ ମାଝିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମହୋତ୍ସବ କମିଟି ପକ୍ଷରୁ ସାଂସ୍କୃତିକ ସଂଗଠନ ସଭାପତି ଡ. ଭକ୍ତକବି ଦାସ, ସମ୍ପାଦକ ଅଧ୍ୟାପକ ଗୁରୁଚରଣ ସେଠୀ, ଉପଦେଷ୍ଟା ସରୋଜକାନ୍ତ ସାହୁ, ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର, କମିଟିର କର୍ମକର୍ତା ମହେନ୍ଦ୍ର କୁମାର ସିଂ, ସାହାଜାନ ଖାନ, ଶାନ୍ତିସ୍ୱରୂପ ଭୂୟାଁ, ରାମଚନ୍ଦ୍ର ରାଉତ, ତ୍ରିଲୋଚନ ରାଉତ, ବିପିନ ବିହାରୀ ସାହୁ, ସରୋଜ କୁମାର ଦାଶ, ଲକ୍ଷ୍ମୀକାନ୍ତ ଜେନା, ଅଭିମନୁ୍ୟ ରାଉତ, ମରୁତ ସ୍ୱାଇଁ, ଧରଣୀଧର ପ୍ରଧାନ, ଚିତରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।