ଭୁବନେଶ୍ୱର, ୦୩/୧୨/୨୦୨୪ (ଓଡ଼ିଶା ସମାଚାର)- ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ଡକ୍ଟର ଅଚୁ୍ୟତ ସାମନ୍ତ ଗତ ଏକମାସ ମଧ୍ୟରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପୁରସ୍କୃତ ଏବଂ ସମ୍ମାନିତ ହୋଇଥିବାରୁ ଓଡ଼ିଶା ସଚେତନ ନାଗରିକ ଫୋରମ୍ ଏବଂ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହାଦ୍ୱାରା ଦେଶ ବିଦେଶରେ ଓଡ଼ିଶାର ଯଶ ଓ ଗୌରବ ବୃଦ୍ଧି ପାଇଥିବାରୁ ଦୁଇସଂସ୍ଥା ପକ୍ଷରୁ ତାଙ୍କୁ ‘ଅସ୍ମିତାର ନାୟକ’ ଉପାଧି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ପୂର୍ବେ ଡେରାଡୁନ ଠାରେ ଉତରାଖଣ୍ଡ ବିଶ୍ୱ ବିଦ୍ୟାଳୟ ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିବା ଫଳରେ ତାଙ୍କର ଡକ୍ଟରେଟ ସଂଖ୍ୟା ୬୧ରେ ପହଂଚିଛି । ସେହିପରି ତାମିଲନାଡୁର ମଦୁରାଇ ଠାରେ ଆୟୋଜିତ ରବୀନ୍ଦ୍ର ସାହିତ୍ୟ ସମାରୋହରେ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି, ଯୁବ ସଂଗଠକ ତନ୍ମୟ ସ୍ୱାଇଁ, ଶିକ୍ଷାବିତ୍ ଅଶୋକ ପାଣ୍ଡେ ଏବଂ ଆଇନଜୀବୀ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।