କେନ୍ଦ୍ରାପଡ଼ା, ୨୯/୧୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ଜାଗର ରାଉତଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ରାୟ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ଶିକ୍ଷକତା କରିଥିବା ସ୍ୱର୍ଗତ ରାଉତ ଜଣେ ସମୟାନୁବର୍ତିତା, ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଅଂଚଳରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ଦୁଇପୁତ୍ର ରାଜକିଶୋର ଓ ଭଞ୍ଜକିଶୋରଙ୍କ ସମେତ ଏକମାତ୍ର କନ୍ୟା ଶିକ୍ଷୟତ୍ରୀ ପଦ୍ମଶ୍ରୀ ରାଉତ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ବିୟୋଗ ଖବର ପାଇ ଯୁବନେତା ରାଜେଶ ପଣ୍ଡା, ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ସଂଗମ କୁମାର ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପଟକୁରାସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।