ଗଳ୍ପ ପୁସ୍ତକ ‘କଥା ପ୍ରଜାପତି’ ଲୋକାର୍ପିତ

ଭୁବନେଶ୍ୱର,୦୮/୧୨/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଭଲ ଗପର ଆଦର ସବୁବେଳେ ରହିଆସିଛି ,ଯାହା ପାଠକଙ୍କୁ ଆହୁରି ଗଳ୍ପ ପଢ଼ିବା ପାଇଁ ଉତ୍ସାହିତ କରି ଆସୁଛି । ଯେଉଁ ଗପ ସମାଜରେ ଘଟୁଥିବା ଘଟଣାକୁ କେନ୍ଦ୍ର କରି ଲେଖା ହୋଇଥାଏ, ସେହି ଗପ ପାଠକର ହୃଦୟକୁ ଛୁଇଁଥାଏ ବୋଲି କହିଛନ୍ତି ମୁଖ୍ୟଅତିଥି କବି ଓ ଉପନ୍ୟାସିକ ପବିତ୍ର ମୋହନ ଦାଶ । ଅଭିମାନ ପ୍ରକାଶନ ଦ୍ୱାରା ପ୍ରକାଶିତ ଗାଳ୍ପିକା ସ୍ନିଗ୍ଧା ସାହୁଙ୍କ ଗଳ୍ପ ପୁସ୍ତକ ‘କଥା ପ୍ରଜାପତି’ର ଉନ୍ମୋଚନ ଅବସରରେ ନରାଜଠାରେ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟବକ୍ତା ଗାଳ୍ପିକ ପୀତବାସ ରାଉତରାୟ ସ୍ନିଗ୍ଧା ସାହୁଙ୍କ ଗଳ୍ପ ଉପରେ ଆଲୋକପାତ କରି କହିଲେ ଯେ ଗାଳ୍ପିକାଙ୍କ ଲେଖାରେ ଭରି ରହିଥିବା ମାନବୀୟ ସମ୍ବେଦନା ପାଠକଙ୍କୁ ବାନ୍ଧି ରଖିବାରେ ସକ୍ଷମ ।

ଲେଖିକା ଜଣେ ଚିତ୍ରଶିଳ୍ପୀ ହୋଇଥିବାରୁ ତାଙ୍କ ଗଳ୍ପ ପୁସ୍ତକରେ ଚିତ୍ର ଓ କଥା ସ୍ଥାନ ପାଇ ପୁସ୍ତକକୁ ଆହୁରି ଆକର୍ଷଣୀୟ କରି ଗଢ଼ି ତୋଳିଛି । ସମ୍ମାନିତା ଅତିଥି କବି ଓ ଗାଳ୍ପିକା ଡ. ସୁଷମା ମିଶ୍ର ଗଳ୍ପର ଶୈଳୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାଠକଙ୍କୁ ବାନ୍ଧି ରଖୁବାକୁ ସମର୍ଥ ଅଛି ବୋଲି ଦର୍ଶାଇଥିଲେ । ଗାଳ୍ପିକା ସ୍ନିଗ୍ଧା ତାଙ୍କର ଗଳ୍ପ ଲେଖାର ଅନୁଭୂତି ବର୍ଣ୍ଣନା କରି ତାଙ୍କ ଜୀବନରେ ଗୁରୁଜନ ମାନଙ୍କ ପ୍ରେରଣା ଓ ଆଦର୍ଶ ତାଙ୍କ ସାହିତି୍ୟକ ଜୀବନକୁ ଗଢ଼ି ତୋଳିଛି ବୋଲି ସ୍ୱୀକାର କରିଥିଲେ । ପ୍ରକାଶିକା ତଥା ସାହିତି୍ୟକା ମାନମୟୀ ଦାଶ ରଥ ଗାଳ୍ପିକାଙ୍କ ଗଳ୍ପ କଳାରେ କୋମଳତା ଓ କମନୀୟତା ତାଙ୍କ ଗଳ୍ପ କଳାର ବିଶେଷତ୍ୱ ବୋଲି ଦର୍ଶାଇଥିଲେ । ସମ୍ମାନିତା ବକ୍ତା ଗାଳ୍ପିକା ମଞ୍ଜୁବାଳା ପଣ୍ଡା ଓ ସସ୍ମିତା ମହାନ୍ତି ଗାଳ୍ପିକାଙ୍କ ଗଳ୍ପରେ ସ୍ପଷ୍ଟ ଓ ଭାବଗର୍ଭକ ଉପାଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଗାଳ୍ପିକାଙ୍କ ଜୀବନ ଓ ସାହିତ୍ୟ ସୃଷ୍ଟି ସମ୍ପର୍କରେ କାଂଚନବାଳା ସାହୁ, ପଦ୍ମଜା ସାହୁ, ଦେବଦୀପ୍ତା ମିଶ୍ର, ମୀନାକ୍ଷୀ ରାଉତରାୟ, ଚିତରଞ୍ଜନ ସାହୁ, ଧୀରେନ କୁମାର ସାମଲ, ଜାନକୀ ନାଥ ପରିଡ଼ା, ଶ୍ୟାମସୁନ୍ଦର ବେହେରା, ଦିବାକର ବେହେରା, ଦିଲ୍ଲୀପ କୁମାର ବେହେରା, ସିଦ୍ଧାନ୍ତ ସାହୁ ଓ ସାର୍ଥକ ସାହୁ ଆଲୋଚନା କରିଥିଲେ । ଶେଷରେ ଅନୁଭା ସାହୁ ଧନ୍ୟବାଦ୍ ଦେଇଥିଲେ । ପ୍ରାରମ୍ଭରେ ସ୍ମୃତିଲିପି ଦ୍ୱିବେଦୀ ସଙ୍ଗୀତ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *