କଳାହାଣ୍ଡି,୨୬/୧୧/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଅମଳ ହେବାରେ ଲାଗିଛି ଧାନ । ଶ୍ରୀ ଗଣେଷ ହୋଇ ସାରିଲାଣି ଧାନ ମଣ୍ଡି । ଏପଟେ ମୁଣ୍ଡ ଟେକିଛି ଆନ୍ଦୋଳନର ପ୍ରସ୍ତୁତି ପର୍ବ । ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଚାରବାହାଲ ଧାନ ମଣ୍ଡି ପରିସରରେ । ଏଠାରେ ଆୟୋଜିତ ହୋଇଥିଲା ଜିଲ୍ଲା ସ୍ତରୀୟ ବୈଠକ । ଭାରତୀୟ ମଜଦୁର ଶ୍ରମିକ ସଂଘର ପୂର୍ବତନ ସଭାପତି ତଥା କଳାହାଣ୍ଡି ମଣ୍ଡି ୟୁନିଅନ ସଭାପତି ଙ୍କ ଆହ୍ବାନ କ୍ରମେ ଜିଲ୍ଲାର କୋଣ ଅନୁକୋଣରୁ ଶ୍ରମିକ ମାନେ ଛୁଟି ଆସିଥିଲେ । ସରକାର ବର୍ଦ୍ଧିତ ମୂଲ୍ୟ ଦୁଇ ବର୍ଷ ହେଲା ପ୍ରଦାନ କରୁ ନାହାଁନ୍ତି । ଆମେ ମୁଣ୍ଡର ଝାଳ ତୁଣ୍ଡରେ ମାରି ପରିଶ୍ରମ କରି ଆସୁଛୁ । ହେଲେ ଆମ ପରିଶ୍ରମର ଉଚିତ ପ୍ରାପ୍ୟ ମିଲି ପାରୁନାହିଁ । ଯଦି ସରକାର ଆମ କଥା ନ ବୁଝିବେ , ତେବେ ଆମେ ମଣ୍ଡି କାର୍ଯ୍ୟରୁ ନିବୃତ ରହିବା ସହିତ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବୁ । ଭାରତୀୟ ମଜଦୂର ସଂଘ ର କାର୍ଯ୍ୟକାରୀ ସଭାପତି ତଥା କଳାହାଣ୍ଡି ମଣ୍ଡି ୟୁନିଅନ୍ ର ହେମାଳ ସଭାପତି ସୁରେନ୍ଦ୍ର ମୋହନ କର ଚେତାବନୀ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ସରକାର ମଣ୍ଡି ଆରମ୍ଭ ପୂର୍ବରୁ ମୁଣ୍ଡ ଟେକିଥିବା ଏଭଳି ସମସ୍ୟାକୁ କିଭଳି ସମାଧାନ କରିବେ ଓ ସୁଚାରୁରୂପେ ମଣ୍ଡି ପରିଚାଳନା କରିବେ ।