ପଚାଶ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କଲା ସଂଗଠନ
କେନ୍ଦ୍ରାପଡ଼ା,୦୨/୦୩/୨୦୨୬ (ଓଡ଼ିଶା ସମାଚାର)- ଓଡିଶା କୃଷକ ସଭା, କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ଆଜି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ସେବା ସମବାୟ ସମିତି, ଈଶ୍ୱରପୁର ଅଧିନସ୍ଥ ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକଙ୍କର ମୃତ୍ୟୁ ନୁହେଁ ବରଂ ଏହା ବ୍ୟବସ୍ଥାଗତ ବା ସରକାରୀ ପ୍ରାୟୋଜିତ ହତ୍ୟା ବୋଲି ଓଡିଶା କୃଷକସଭା ଦାବି କରିଛି । ଗତ ଦୁଇଦିନ ତଳେ କୃଷକସଭାର ଏକ ପ୍ରତିନିଧି ଦଳ ମୃତ ଚାଷୀଙ୍କ ପରିବାର ଓ ସେବା ସମବାୟ ସମିତିର ସମ୍ପାଦକଙ୍କୁ ଭେଟି ଆଲୋଚନା କଲାପରେ ଉକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛି ।
ମାସ ମାସ ଧରି ମଣ୍ଡିରେ ଧାନ ପଡିରହିବା, ଶେଷ ମୁହୂର୍ତରେ ପଡି ରହିଥିବା ଧାନକୁ ଉଠାଇ ନେଇ ମଣ୍ଡିଠୁ ତିରିଶ କିମି ଦୂର ରାମଚଣ୍ଡୀ ରାଇସ ମିଲରେ ଧାନ ଦେବାକୁ ବାଧ୍ୟ କରିବା ଏବଂ ସମ୍ପୃକ୍ତ ମିଲରେ ଚାରିଦିନ ଧରି ବୋଝେଇ ଟ୍ରାକ୍ଟର ପଡି ରହିବା ସହିତ ମିଲ ମାଲିକ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ଓ ଦିନରାତି ମଶା ଡାଆଁସରେ ଆଖିଆ ଅପିଆ ଧାନକୁ ଜଗି ରହି ସେଠାରେ ପଡି ରହିବା ଫଳରେ ତ୍ରିଲୋଚନଙ୍କର ଦେହ ଭୀଷଣ ଅସୁସ୍ଥ ହେବାରୁ ଘରକୁ ଫେରିବାର ଦଶ ମିନିଟ ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେଇ ମୃତ୍ୟୁ ବରଣ କରିଥିଲେ । ପ୍ରକାଶ ଥାଉକି ସେ ଟ୍ରାକ୍ଟର ଭଡା ବାବଦରେ ପ୍ରତିଦିନ ଚାରି ହଜାର ଟଙ୍କା ପୈଠ କରୁଥିଲେ । ସାରା ରାଜ୍ୟ ସହିତ କେନ୍ଦ୍ରାପଡା ଜିଲାରେ ପ୍ରତିଦିନ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରିରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଏଭଳି ଚାଷୀ ମୃତ୍ୟୁ ପାଇଁ ପଥ ପରସ୍କାର ହୋଇଛି ।
ବିଜେପିର ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଗତ ଛ ମାସ ତଳେ ଲଗାଣ ବର୍ଷାରେ ବ୍ୟାପକ ଫସଲ ହାନି ଯୋଗୁଁ ଜିଲାର ତିନିଜଣ ଚାଷୀ ଆତ୍ମହତ୍ୟା କରିଥିଲା ବେଳେ ଅମଳ ହେଇଥିବା ଧାନକୁ ଦହଗଞ୍ଜ ହୋଇ ବିକ୍ରିରେ ବିଳମ୍ବ ଯୋଗୁଁ ରାଜନାଗର ଚାଷୀ ମୃତ୍ୟୁବରଣ କରିବା ସରକାରଙ୍କ ପରିବା ପାଣିଆକୁ ପଦାରେ ପକାଇଛି । ମଣ୍ଡି ଜନିତ ମୃତ୍ୟୁ ନୁହେଁ ବୋଲି ଯୋଗାଣ ମନ୍ତ୍ରୀଙ୍କ ବକ୍ତବ୍ୟକୁ ସଂଗଠନ ତୀବ୍ର ସମାଲୋଚନା କରିଛି । କୃଷକସଭା ଜିଲା କମିଟି ଦାବି କରିଛି ଯେ ଏହା ବ୍ୟବସ୍ଥାଗତ ହତ୍ୟା ହୋଇଥିବାରୁ ସମ୍ପୃକ୍ତ ସମବାୟ ସମିତି ସମ୍ପାଦକ ଓ ମିଲ ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ଓ ମୃତ ଚାଷୀଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ମୃତ ଚାଷୀଙ୍କ ବିଧବା ପତ୍ନୀ ଓ ଦୁଇଜଣ ଅବିବାହିତ ଝିଅ ଅଛନ୍ତି । ସେ ଏକମାତ୍ର ରୋଜଗାରକ୍ଷମ ଥିବାରୁ ତାଙ୍କ ପୁଅକୁ ସରକାରୀ ଚାକିରୀରେ ନିଯୁକ୍ତି ଦିଆଯାଉ । ସାରା ଜିଲାରେ ଏଥର ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ଦୂର କରାଯାଉ ।
କଟଣୀ ଛଟଣି ବନ୍ଦ କରିବା ସହିତ ଚାଷୀଙ୍କ ଠାରୁ ଟୋକନ ଅବଧି ଶେଷ ହେବା ମଧ୍ୟରେ ସବୁ ଧାନକୁ କିଣା ଯାଉ । ଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସରୋଜ କୁମାର ଖିଲାର ଦାବିପତ୍ର ଗ୍ରହଣ କରିଥିଲେ । ରାଜ୍ୟ କମିଟି ସଭ୍ୟ ନରୋତମ ପାର୍ଥସାରଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲା ସମ୍ପାଦକ ଗୟଧର ଧଳ, ଜିଲା ନେତା ବିଜୟ ଦାସ,ସିଟୁ ନେତା, ଜଗତଜୀବନ ଦାଶ,କ୍ଷେତ ମୂଲିଆ ନେତା ଭୀମସେନ ବେହେରା, ମାଧବ ଦାସ, ରତ୍ନଞ୍ଜୟ ମଲ୍ଲିକ, ପ୍ରଭାତ କୁମାର ମଲ୍ଲିକ, ମଙ୍ଗୁଳି ଖଟୁଆ, ସୁକାନ୍ତ ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁଲକ ରଶ୍ମି ଦାସ, ଦିଲୀପ ପଣ୍ଡା, ପତିତପାବନ ନାୟକ, କିଶୋର ଚନ୍ଦ୍ର ବିଶ୍ୱାଳ, ଜଗବନ୍ଧୁ ସେଠୀ, ହୃଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଜିଲା ସଭାପତି କାଳିପ୍ରସାଦ ନାୟକ । ସାତ ଦିନ ମଧ୍ୟରେ ସରକାର ଓ ଜିଲା ପ୍ରଶାସନ ଦାବି ପୂରଣ ନକଲେ ବ୍ୟାପକ ଆନ୍ଦୋଳନ କରାଯିବାକୁ ସଂଗଠନ ଚେତାବନୀ ଦେଇଛି ।
