ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର, ୨୧/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଥିବା ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

ଉକ୍ତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଉପନିର୍ଦ୍ଦେଶକ ଶ୍ରୀ ଦେବାନ୍ଦନ ବରିହା, ବିଭାଗର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ତଥା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର, ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ବୁଦ୍ଧିଜୀବୀ ବର୍ଗ, ସମାଜସେବୀ ପ୍ରମୁଖ ଯୋଗଦେଇ ଡ଼ଃ ହରେକୃଷ୍ଣ ମହତାବଙ୍କ ସ୍ମୃତିଚାରଣ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଓଡ଼ିଶା ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ୨୧ ରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଉତ୍କଳ କେଶରୀଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ପାଳନ କରାଯିବ। ଏହି ଅବସରରେ ବିଭିନ୍ନ ପୁସ୍ତକ ଉନ୍ମୋଚନ ହେବା ସହ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପକ୍ଷରୁ ପୁସ୍ତକ ପ୍ରଦର୍ଶନୀ, ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ତରଫରୁ ତୈଳଚିତ୍ର ପ୍ରଦର୍ଶନୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ। ଏଥିସହିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

-0-

ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *