କେନ୍ଦ୍ରାପଡ଼ା, ୨୧/୧୧/୨୦୨୪ (ଓଡ଼ିଶା ସମାଚାର)- ୭୧ତମ ଜିଲା ସ୍ତରୀୟ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ମଙ୍ଗଳବାର ଜିଲା ସଂସ୍କୃତି ଭବନରେ ଏକ ଉତ୍ସବ ସମବାୟ ସମିତି ସମୁହର ଉପନିବନ୍ଧକ ସନ୍ତୋଷ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିକାଶ ପାଇଁ ଚିନ୍ତା କରୁଥିବା ବେଳେ ସମବାୟର ବିକାଶ ପାଇଁ ମଧ୍ୟ ଚିନ୍ତା କରିଛନ୍ତି । ଯେଉଁଥି ପାଇଁ କୃଷି ବିଭାଗରୁ ସମବାୟ ବିଭାଗକୁ ଅଲଗା କରି ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିବା ସହିତ ଅମିତ ସାହଙ୍କ ଭଳି ଜଣେ ଦକ୍ଷ ମନ୍ତ୍ରୀଙ୍କୁ ସମବାୟ ବିଭାଗର ମନ୍ତ୍ରୀ ଦାୟୀତ୍ୱ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ କୃଷକମାନଙ୍କ ବିକାଶ ପାଇଁ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କାକୁ ବୃଦ୍ଧି କରି ପ୍ରସ୍ତାବ ଗୃହିତ କଲେ । ଚଳିତବର୍ଷ ପ୍ରତ୍ୟେକ ଧାନ ମଣ୍ଡିରେ ସି.ସି. ଟିଭି ଲଗାଯାଉଛି । ଏହାଦ୍ୱାରା ଦଲାଲମାନଙ୍କ ଦ୍ୱାରା ଚାଷୀମାନେ ଆଉ ଶୋଷଣର ଶୀକାର ହେବେନାହିଁ । ଚାଷୀମାନେ ଯେପରି ମଣ୍ଡିରେ ଧାନ ଦେବାରେ କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସମସ୍ତ ସମବାୟ ସମିତିର କର୍ମକର୍ତାମାନେ ଦୃଷ୍ଟିଦେବାକୁ ବିଧାୟକ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ଉତ୍ସବରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅନନ୍ତ ସାମଲ ସମ୍ମାନୀତ ଅତୀଥି ଭାବେ ଯୋଗଦେଇ ସମବାୟ ବ୍ୟାଙ୍କ ପକ୍ଷରୁ ଚାଷୀ ତଥା ସମବାୟ ସମିତିର ସଦସ୍ୟମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲା ବିଜେପି ସଭାପତି କିଶୋର କୁମାର ପଣ୍ଡା ଯୋଗଦେଇ କୃଷି ଓ କୃଷକର ବିକାଶ ପାଇଁ ସମବାୟ ସମିତି ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ସେହିପରି ପୂର୍ବତନ ଜିଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ଯୋଗଦେଇ କହିଲେ ଯେ ଆମ୍ଭେମାନେ ସମବାୟ ସମିତିର ଆତ୍ମା ଭାବରେ କାର୍ଯ୍ୟ କଲେ ସମବାୟ ସଂସ୍ଥା ଗୁଡିକର ଉନ୍ନତି ସମ୍ଭବ ହୋଇପାରିବ । କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁ ମଧ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ଓ ରଚନା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ୟ ସ୍ତରରେ ପ୍ରଥମ ହୋଇଥିବା ଜମଧର ପ୍ରାଥମିକ କୃଷି ସମବାୟ ସମିତି, ଦ୍ୱିତୀୟ ହୋଇଥିବା ଭରତପୁର ପ୍ରାଥମିକ କୃଷି ସମବାୟ ସମିତି, ତୃତୀୟ ହୋଇଥିବା କୁଶିଆପାଳ ପ୍ରାଥମିକ କୃଷି ସମବାୟ ସମିତି ସମେତ କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଓ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟିକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଯୋଗେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଭାବଗ୍ରାହୀ କଳା ନିକେତନର କଳାକାରମାନେ ଆବାହନି ସଂଗୀତ ଗାନ କରିଥିଲେ । ଏହି ଉତ୍ସବରେ ସମସ୍ତ ସମବାୟ ସମିତି ଗୁଡିକର କର୍ମକର୍ତା ଓ ସମ୍ପାଦକମାନେ ଯୋଗଦେଇଥିଲେ ।