କୁତରଙ୍ଗ ପଂଚାୟତବାସୀଙ୍କ ବହୁଦିନର ଦାବି ପୁରଣ ହେଲା
କେନ୍ଦ୍ରାପଡ଼ା,୦୩/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ଅଧିନ ଢୋଲ ପିଏମଜିୱାଇ ରାସ୍ତା ଠାରୁ ଛୋଟୀ, ବିଲମୁଗବାଡି ଓ ବିଷ୍ଣୁଦାସପୁର ରାସ୍ତା(ମୁଖ୍ୟମନ୍ତ୍ରୀ ସଡକ ରାସ୍ତା) ନିର୍ମାଣର ଶିଳାନ୍ୟାସ ଉତ୍ସବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବିଲମୁଗବାଡି କୋଲିଆଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାସ୍ତା ନିର୍ମାଣ ପାଇଁ ୧୨କୋଟି ୬୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ପ୍ରକଳ୍ପ ଅଧିନରେ ଏକ ବୃହତ ପୋଲ ସହ ୫ କିଲୋମିଟର ରାସ୍ତା ନିର୍ମାଣ କରାଯିବ ।
ବିଜେଡି ଜିଲା ସଭାପତି ଶିବ ପ୍ରସାଦ ଭଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ରାସ୍ତାର ଶିଳାନ୍ୟାସ କରି କହିଲେ ବିଲମୁଗବାଡି ଓ ବିଷ୍ଣୁଦାସପୁର ଗ୍ରାମ ସମେତ ଡେରାବିଶ ବ୍ଲକର ଛୋଟୀ ଗ୍ରାମକୁ ସଂଯୋଗ ନିମନ୍ତେ ଏହି ରାସ୍ତା ନିର୍ମାଣ ପାଇଁ କୁତରଙ୍ଗ ଗ୍ରାମପଂଚାୟତବାସୀଙ୍କର ବହୁ ବର୍ଷର ଦାବି ଆଜି ପୁରଣ ହୋଇପାରିଛି । ଏହି ପ୍ରକଳ୍ପ ନିମନ୍ତେ କୁତରଙ୍ଗ ପଂଚାୟତର ତତକାଳୀନ ସରପଂଚ ସୀତାସୁନ୍ଦରୀ ମଲ୍ଲିକ ଓ ଯୁବନେତା ନରୋମଲ୍ଲିକ ପ୍ରଚେଷ୍ଟା ଚଳାଇଥିଲେ ।
ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ସାଧନ ନିମନ୍ତେ ସଦାସର୍ବଦା ସେ ଚେଷ୍ଟା ଜାରିରଖିବେ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଅନ୍ୟତମ ଅତିଥି ଭାବେ ଜିଲା ପରିଷଦ ସଭାପତି ଲିଲିତା ଦାସ ଯୋଗଦେଇ ଅଂଚଳବାସୀଙ୍କ ବହୁ ଦିନର ଦାବି ପୁରଣ ହେବା ସହ ବିଷ୍ଣୁଦାସପୁର ଗ୍ରାମକୁ ଯିବା ପାଇଁ ଯେଉଁ ସମସ୍ୟା ହେଉଥିଲା ତାହା ଏହି ରାସ୍ତା ନିର୍ମାଣ ଦ୍ୱାରା ସମାଧାନ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ ।
ଯୁବନେତା ନରୋତମ ମଲ୍ଲିକ କହିଲେ ବିଧାୟକ ଶ୍ରୀ ବେହେରାଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦିପ କୁମାର ମହାନ୍ତି, ବ୍ଲକ ସଭାପତି ଆଲୋକ ସାହୁ, କୁତରଙ୍ଗ ସରପଂଚ ଚିରରଞ୍ଜନ ଜେନା, ସମିତିସଭ୍ୟା ମିନତୀ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଅଶ୍ୱିନୀ ପାତ୍ର, ପ୍ରଦୀପରଞ୍ଜନ ସୁତାରଙ୍କ ସମେତ ବହୁ ଜନପ୍ରତିନିଧି, ନେତୃମଣ୍ଡଳୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
