ମହାଶିବରାତ୍ରୀ ପ୍ରସ୍ତୁତି

ଭୁବନେଶ୍ୱର, ୨୦/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆସନ୍ତା ୨୬ରେ ମହାଶିବରାତ୍ରି ଉପଲକ୍ଷେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଜନସମାଗମକୁ ଦୃଷ୍ଟିରେ ରଖି ଆଇନ-ଶୃଙ୍ଖଳା ବ୍ୟବସ୍ଥା ଦୃଢ଼ ନିମନ୍ତେ କେଦାର ଗୌରୀ ମନ୍ଦିର ନିକଟସ୍ଥ ମା’ କଲ୍ୟାଣ ମଣ୍ଡପରେ ଏକ ପ୍ରାକ-ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୁଲିସ କମିଶନର ଡ଼. ଏସ. ଦେବଦତ ସିଂ ସଭାକୁ ଅଧ୍ୟକ୍ଷତା କରିଥିବା ବେଳେ, ଭୁବନେଶ୍ୱର ଡିସିପିି ପିନାକ ମିଶ୍ର ବୈଠକର ଆରମ୍ଭ କରି ସଭାର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ବୈଠକରେ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟମ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମସି ମେୟର ସୁଲୋଚନା ଦାସ, ପୂର୍ବତନ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଶ୍ରୀ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ, ମନ୍ଦିରର ପୂଜକମାନେ ଏବଂ ଅନ୍ୟାନ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ତଥା କର୍ମଚାରୀ ମାନେ ଯୋଗ ଦେଇଥିଲେ ।

ବୈଠକର ପ୍ରମୁଖ ଉଦ୍ଧେଶ୍ୟ ଥିଲା- ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିବାକୁ ଥିବା ବିପୁଳ ସଂଖ୍ୟକ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ପୂର୍ଣ୍ଣ ଏବଂ ସୁରକ୍ଷିତ ଭାବରେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ପାରିବେ । ଏହାବାଦ୍ ଶ୍ରଦ୍ଧାଳୁ ଏବଂ ସାଧାରଣ ଲୋକମାନଙ୍କ ଯାତାୟାତରେ ଯେପରି କୌଣସି ବାଧା ନ ଉପୁଜେ, ସେଥିପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ବିଚାର ବିମର୍ଶ କରାଯାଇଥିଲା ।

Leave a Reply

Your email address will not be published. Required fields are marked *