କେନ୍ଦ୍ରାପଡ଼ା, ୧୫/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଦୌରାଜଜ୍ ବିଶ୍ୱିଜତ ମହାନ୍ତି ଏକ ସଂଘବଦ୍ଧ ଆକ୍ରମଣ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲାର ରାଜକନିକା ଥାନା ଅନ୍ତର୍ଗତ ପେଗରପଡା ଗ୍ରାମର ପାଂଚାଳୀ ସେଠୀ ତାଙ୍କ ଘର ସମ୍ମୁଖ ରାସ୍ତାରେ ଧାନ ଶୁଖାଇଥିବା ବେଳେ ଗତ ତା ୨୦୧୫ମସିହା ଜୁନମାସ ୯ତାରିଖ ପୂର୍ବାହ୍ନ ସାଢେ ୧୦ଟା ବେଳେ ସେହି ଗ୍ରାମର ଟୁଲୁ ସେଠୀ ସେହି ଧାନ ଉପରେ ଏକ ବୋଲେରୋ ଚଢାଇ ଦେଇଥିଲେ । ଫଳରେ ଧାନ ଗୁଡିକ ଏଣେତେଣେ ବିଛାଡି ହୋଇ ପଡିଥିଲା । ପାଂଚାଳୀ ଏନେଇ ପ୍ରତିବାଦ କରନ୍ତେ ସେହି ଗ୍ରାମର ଟୁଲୁ ସେଠୀ, ଆଦିକନ୍ଦ ସେଠୀ, ବାବାଜୀ ସେଠୀ ଓ କାଳନ୍ଦୀ ସେଠୀ ପାଂଚାଳୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହାଦେଖି ପାଂଚାଳୀଙ୍କ ଶଶୁର ବେଣୁଧର ସେଠୀ ପ୍ରତିବାଦ କରନ୍ତେ ସେମାନେ ଏକ ଲୁହାରଡରେ ବେଣୁଧରଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ବେଣୁଧରଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବେଣୁଧରଙ୍କ ଚିକିତ୍ସା ଅବସ୍ଥାରେ ମୃତୁ୍ୟ ହୋଇଯାଇଥିଲା ।ଏ ସମ୍ପର୍କରେ ପାଂଚାଳୀଙ୍କ ଅଭିଯୋଗକୁ ଭିତି କରି ରାଜକନିକା ଥାନାରେ ୧୧୨/୨୦୧୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ପୋଲିସ କୋର୍ଟରେ ଅଭିଯୋଗ ଫର୍ଦ୍ଧ ଦାଖଲ କରିବା ପରେ ଏସଟି କେଶ ନମ୍ବର ୫୯/୨୦୧୬ରେ କେନ୍ଦ୍ରାପଡା ଜିଲା ଦୌରାଜଜ ସେହି ମାମଲାର ବିଚାର ଆରମ୍ଭ କରିଥିଲେ । ୧୭ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଜିଲା ଦୌରାଜଜ ବିଶ୍ୱଜିତ ମହାନ୍ତି ଆଇ.ପି.ସି.ର ୩୦୨ ଦଫାରେ ଅଭିଯୁକ୍ତ ରାଜକନିକା ଥାନା ଅନ୍ତର୍ଗତ ପେଗରପଡା ଗ୍ରାମର ବିଦ୍ୟାଧର ସେଠୀଙ୍କ ପୁଅ ଆଦି ଓରଫ ଆଦିକନ୍ଦ ସେଠୀଙ୍କୁ ଆଜୀବନ କରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ମାସ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏଥିସହିତ ଆଇ.ପି.ସି.ର ୩୨୩ ଓ ୩୪ଦଫାରେ ଅଭିଯୁକ୍ତ ଆଦିକନ୍ଦକୁ ୩ମାସ କାରାଦଣ୍ଡାଦେଶ ପ୍ରଦାନ ସହ ୫ଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୧୫ଦିନ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡର ପିପି ମାନସରଞ୍ଜନ ବେହେରା କୋର୍ଟରେ ମାମଲାର ପରିଚାଳନା କରୁଥିଲେ । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କ କେଶ ବିଚାର ହୋଇପାରିନାହିଁ ।