ଚୈତ୍ର ମାସରେ ବେଡାରୀ ଗ୍ରାମରେ ଚଇତି ବାଟ ମଙ୍ଗଳା ଓଷା

ପାଟକୁରା, ୦୧/୦୪/୨୦୨୬ (ଓଡିଶା ସମାଚାର )-ସମୟ ସ୍ରୋତରେ ଅନେକ ପରମ୍ପରା, କିମ୍ବଦନ୍ତୀ,ପୁରାତନ ପୂଜା ପର୍ବାଣି,  ଆସ୍ତେ ଆସ୍ତେ ଜନ ମାନସରୁ ଦୁରେଇ ଯିବାକୁ ବସିଥିବା ବେଳେ ଚୈତ୍ର ମାସରେ ଚଇତି ବାଟ ମଙ୍ଗଳା ଓଷା ତାର ସ୍ୱତନ୍ତ୍ରତା ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମା ମାନଙ୍କ ନିକଟରେ ବଜାୟ ରଖିଛି ।  ଶ୍ରଦ୍ଧାଳୁ ମା ମାନଙ୍କ ନିଷ୍ଠା,ଏକଗ୍ରତା, ମା ମଙ୍ଗଳାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଯୋଗୁ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ଅଛି ।  ଏହି ଓଷା କେଉଁ ଅନାଦି କାଳରୁ ପାଳନ ହୋଇ ଆସୁଛି କହିବା କାଠିକର ପାଠ ହୋଇପଡିଛି ।  ଚଇତି ମଙ୍ଗଳା ବାଟ ଓଷାରେ ମହିଳା ମାନେ ମା ମଙ୍ଗଳାଙ୍କ ନିକଟରେ ଶ୍ରଦ୍ଧା ଓ ଭକ୍ତିର ସହ ନିଜ ସନ୍ତାନ ସନ୍ତତି ର ସୁଖ ସମୃଦ୍ଧି କାମନା କରି ମାନସିକ କରିଥାନ୍ତି ।  କେତକ ଶ୍ରଦ୍ଧାଳୁ ପୁତ୍ରସନ୍ତାନ ପ୍ରାପ୍ତି, ପୁଅ ଝିଅଙ୍କ ବିବାହ ପାଇଁ, ଶରୀର ଆରୋଗ୍ୟ ପାଇଁ ମାନସିକ କରନ୍ତି ଓ ମାନସିକ ପୂରଣ ପରେ ମା ଙ୍କ ପାଇଁ ସୁନା ଚିତା, ରୁପା ଆଖି, ପୂଜା ପାଇଁ ବାସନ କୁସନ ଓ ଚାନ୍ଦୁଆ ଆଦି ସମର୍ପଣ କରିଥାନ୍ତି ।

ବେଡାରୀ ଗ୍ରାମରେ ଚୈତ୍ର ମାସରେ ଚଇତି ବାଟ ମଙ୍ଗଳା ଓଷା ବହୁ ପ୍ରାଚୀନ କାଳରୁ ପ୍ରଚଳନ ହୋଇ ଆସୁଛି । ବୟସ୍କ ମହିଳା ମାନେ ଓ ବୟସ୍କ ପୁରୁଷ ମାନେ କୁହନ୍ତି ଯେ ସେମାନଙ୍କ ଜେଜେ ମା ଓ ଅଣ ଜେଜେ ମା ମାନେ ଚଇତି ବାଟ ମଙ୍ଗଳା ଓଷା କରୁଥିଲେ ।  ଏଣୁ ଏହି ଓଷା ବହୁ ପୁରାତନ ଓଷା ଭାବେ ଖ୍ୟାତି ଅର୍ଜନକରିଛି ।  ବ୍ରତଧାରୀ ଶ୍ରଦ୍ଧାଳୁମାନେ ଓଷାରେ ଯେଉଁ ମାନସିକ କାମନା କରନ୍ତି ସେଗୁଡିକର ମନସ୍କାମନା ପୂରଣ ହୋଇଥାଏ ।  ପାଞ୍ଚ ଗୋଟି ମଙ୍ଗଳ ବାର ଦିନ ଶ୍ରଦ୍ଧାଳୁ ମହିଳା ମାନେ ଉପବାସ ରହି ବାଟ ମଙ୍ଗଳା ଓଷା ବ୍ରତ ପାଳନ କରନ୍ତି ।  ଗତକାଲି ଚୈତ୍ର ମାସ ର ଶେଷ ମଙ୍ଗଳବାର ହୋଇଥିବାରୁ ଗ୍ରାମର ବାରିକସାହି ତିନିଗୋଟି ରାସ୍ତାର ମିଳନ ସ୍ଥଳୀ ତ୍ରିଛକିରେ ଓଷ।  କୋଠି ନିର୍ମାଣ କରାଯାଇ ସ୍ଥାନକୁ ଗୋବର ପକାଇ ଲିପାପୋଛା କରାଯାଇଥିଲା ।

 କୋଠି ଉପରେ ଚିତା ପକାଯାଇ ଚାନ୍ଦୁଆ ଟଙ୍ଗା ଯାଇଥିଲା ।  ମା ମ ଙ୍ଗଳାଙ୍କ ପିତଳ ପ୍ରତିମାକୁ ଶ୍ରଦ୍ଧାଳୁ ମହିଳା ବ୍ରତଧାରି ମାନେ କଞ୍ଚାମୃତ, ହଳଦୀ, ଚୁଆ, ଚନ୍ଦନରେ ସ୍ନାନ କରାଯାଇ କୋଠିଉପରେ ପିତଳ ଖଟିଆ ରେ ଆସୀନ କରି ନୂତନ ବସ୍ତ୍ର ପରିଧାନ କରାଇ ମା ମଙ୍ଗଳାଙ୍କ  ନିକଟରେ ପଣା ଲାଗି କରିଥିଲେ ।  ଶ୍ରଦ୍ଧାଳୁମାନେ ମାଙ୍କ ଠାରେ ଲାଗିହେବା ପାଇଁ କଦଳି, ଛେନା, ନଡ଼ିଆ, ଉଖୁଡା, ଖଜିରୀକୋଳି, ସେଉ, ଅଙ୍ଗୁର, କମଳା ଗୁଡ଼, କ୍ଷୀର ଇତ୍ୟାଦି ଆଣିଥିଲେ ।  ମା ମଙ୍ଗଳାଙ୍କ କୃପା ସମ୍ବଳିତ ପୁସ୍ତକକୁ ଶ୍ରଦ୍ଧାଳୁ ମାନେ ପାଠ କରିଥିଲେ ।  ଶ୍ରଦ୍ଧାଳୁ ମାନଙ୍କ ହୁଳହୁଳି ଓ ଗ୍ରାମ କୀର୍ତନ କଳାକାରଙ୍କ ନାମ ସଂକୀର୍ତନ ମଧ୍ୟରେ ପଣ୍ଡିତ ଶିଶିର ମିଶ୍ର ମଙ୍ଗଳାଙ୍କ ନିକଟରେ ପୂଜାପାଠ ଓ ହୋମ କାର୍ଯ୍ୟକରି ମା ଙ୍କୁ ଆବାହନ କରିଥିଲେ ।

ରଂଜିତା ବେହେରା କର୍ତ୍ତାଭାବେ ମା ଙ୍କ ନିକଟରେ ସମର୍ପିତ ଥିଲେ । ଶ୍ରଦ୍ଧାଳୁଙ୍କ ଯେଉଁ ମାନସିକ ଅଛି ତାହକୁ ମା ଙ୍କ ନିକଟରେ ପଣ୍ଡିତ ଶିଶିର ମିଶ୍ର ବଡ଼ ପାଟିରେ ଉଚ୍ଚାରଣ କରି ଜଣ ଜଣଙ୍କପାଇଁ ହରିବୋଲ ଦେଇଥିଲେ । ତାପରେ ବ୍ରାତଧାରୀ ଓସେଇତି ମାନେ ସେମାନଙ୍କ ଓଷା ସମାପ୍ତି କରିଥିଲେ । ବାରିକସାହି, ଗୋପାଳସାହି, ଭୂୟାଁ ସାହି,ବେହେରା ସାହି, ପୃଷ୍ଟି ସାହି, ଥଟାରି ସାହିର ପ୍ରାୟ ଷାଠିଏ ଜଣ ମହିଳା ବାରିକ ସାହି ତ୍ରିଛକି ନିକଟରେ ଚଇତି ବାଟ ମଙ୍ଗଳା ଓଷା କରିଥିଲେ । ସେହିପରି ଗ୍ରାମର ଅନ୍ୟ ତ୍ରିଛକି ଗୁଡିକ ନିକଟରେ ମଧ୍ୟ ଶ୍ରଦ୍ଧାଳୁ ମହିଳା ମାନେ ଚଇତି ବାଟ ମଙ୍ଗଳା ଓଷା କରିଥିଲେ ।

Leave a Reply

Your email address will not be published. Required fields are marked *