ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ୍‌ମାନଙ୍କୁ ପୁରସ୍କାର ରାଶି ପ୍ରଦାନ

୧୨୮ କ୍ରୀଡ଼ାବିତ୍‌ଙ୍କୁ ୨୧ ଲକ୍ଷ ୩୨ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ

ଭୁବନେଶ୍ୱର, (୧୩/୧୧) :ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ୧୨୮ କ୍ରୀଡାବିତ୍ ମାନଙ୍କୁ ଆଜି ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇଥିବା ଆଜିର ପୁରସ୍କାର ବିତରଣ ସମାରୋହରେ ସମୁଦାୟ ୦୩ଟି ବର୍ଗର କ୍ରୀଡ଼ାବିତ୍ ମାନଙ୍କୁ ମୋଟ୍ ୨୧ ଲକ୍ଷ ୩୨ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଆଥଲେଟିକ୍ସ ବର୍ଗରେ କ୍ରୀଡ଼ାବିତ୍‌ମାନଙ୍କୁ ୧ ଲକ୍ଷ ୮୩ ହଜାର ୫୦୦ ଟଙ୍କା, କିକ୍ ବକ୍ସିଂରେ ୧୦ ଲକ୍ଷ ୨୨ ହଜାର ଟଙ୍କା ଏବଂ ରଗବୀ କ୍ରୀଡ଼ାବିତ୍‌ଙ୍କୁ ୯ ଲକ୍ଷ ୨୭ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ସେ ସମସ୍ତ କ୍ରୀଡାବିତ୍ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରତିଭାବାନ୍‌ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।

ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା କ୍ରୀଡାବିତ୍ ମାନଙ୍କୁ ଆମେ ସମ୍ବର୍ଦ୍ଧିତ କରୁଛେ। ଏହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ ଏବଂ ଆଜିର ଦିନଟି କ୍ରୀଡାବିତ୍ ମାନଙ୍କର କଠିନ ପରିଶ୍ରମ, କ୍ରୀଡା ପ୍ରତି ଥିବା ସେମାନଙ୍କର ପ୍ରତିବଦ୍ଧତା ଏବଂ ସଫଳତା ନିମନ୍ତେ ଉତ୍ସର୍ଗୀକୃତ। ଆଗକୁ ମଧ୍ୟ ଆମ କ୍ରୀଡାବିତ୍ ମାନେ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ପଦକ ହାସଲ କରି ଆମ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଅର୍ଜନ କରିବେ ବୋଲି ମୋର  ଆଶା ଓ ବିଶ୍ୱାସ। ଏଥିସହ କ୍ରୀଡାର ବିକାଶ ଓ କ୍ରୀଡାବିତ୍ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ସେ ମତପ୍ରକାଶ କରିଥିଲେ।

ଆଜିର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅଲମ୍ପିଆନ୍ କିଶୋର ଜେନା, ସ୍ପ୍ରିଣ୍ଟର ଅମୀୟ ମଲ୍ଲିକ, ରଗବୀ କ୍ରୀଡ଼ାବିତ୍‌ ବର୍ଷାରାଣୀ ପ୍ରଧାନ ଏବଂ ଅନ୍ୟାନ୍ୟ କ୍ରୀଡାବିତ୍‌ମାନଙ୍କୁ (ସର୍ବମୋଟ ୧୨୮ କ୍ରୀଡ଼ାବିତ୍‌ଙ୍କୁ) ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ହକି ପ୍ରମୋସନ କାଉନସିଲ୍ ର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର, କ୍ରୀଡା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *