ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀ (ଶିକ୍ଷାନବିସ)ଙ୍କ ନିମନ୍ତେ ବିଧାନସଭା ପରିସରରେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧୩/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର । ବିଧାନ ପାଳିକାର ମୁଖ୍ୟ କାମ ଆଇନ ପ୍ରଣୟନ ହୋଇଥିବାବେଳେ ନ୍ୟାୟପାଳିକା ଆଇନର ତର୍ଜମା ଓ ବିଭିନ୍ନ ବିବାଦର ସମାଧାନ କରିବା ସହ ସମାଜରେ ନାଗରିକମାନଙ୍କର ଅଧିକାର ଓ ସ୍ୱାର୍ଥର ସୁରକ୍ଷା କରିଥାଏ । ଏକ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ପରିବର୍ତ୍ତିତ ପରିସ୍ଥିତି ଓ ଜନସାଧାରଣଙ୍କର ବିଭିନ୍ନ ସୁବିଧା ଓ ଅସୁବିଧାକୁ ନଜରରେ ରଖି ଓ ସାଧାରଣ ଜନତାଙ୍କ ଦାବି ଓ ଜନମତ ଆଧାରରେ ଆଇନ ପ୍ରଣୟନ କରାଯାଇଥାଏ । ସମୟ ଓ ପରିସ୍ଥିତିକୁ ଆଖିରେ ରଖି ଏକ ଜନମଙ୍ଗଳ ରାଷ୍ଟ୍ରରେ ଆଇନର ପରିବର୍ତ୍ତନ ସହ ନୂତନତ୍ୱ ଆସିଥାଏ । ସାଧାରଣ ଲୋକଙ୍କର ସୁଖ, ସୁବିଧା ତଥା ସମାଜର ବିକାଶ ଓ ସମୃଦ୍ଧିକୁ ଲକ୍ଷ୍ୟରେ ରଖି ଏହାର ଆବଶ୍ୟକତା ପଡ଼ିଥାଏ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି ।
ବିଧାନସଭା ନୂତନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀ, ଶିକ୍ଷାନବିସଙ୍କ ନିମନ୍ତେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି କହିଲେ ଯେ ବିଧାନ ପାଳିକା ଓ ନ୍ୟାୟପାଳିକା ପରସ୍ପର ପରିପୂରକ । ଗ୍ରାମସ୍ତରୀୟ ନ୍ୟାୟାଳୟଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ସୁପି୍ରମ କୋର୍ଟ ପର୍ଯ୍ୟନ୍ତ ଜନସାଧାରଣ କିପରି ସଠିକ୍ ନ୍ୟାୟ ପାଇପାରିବେ ସେଥି ପ୍ରତି ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବା ଉଚିତ । ସମାଜରେ ସାଧାରଣ ଲୋକଟିଏ ପାଖରେ ନ୍ୟାୟ ପହଞ୍ଚି ପାରିଲେ ତା’ ମୁହଁରେ ହସ ଫୁଟି ପାରିବ । ବିଚାର ବିଭାଗୀୟ ଅଧିକାରୀମାନେ ନ୍ୟାୟିକ ପ୍ରକ୍ରିୟାରେ କୌଣସି ବାହ୍ୟ ଚାପର ବଶବର୍ତ୍ତି ନହୋଇ ପ୍ରଭାବିତ ହେବାରୁ ବିରତ ରହି, ସମ୍ବେଦନଶୀଳ ହୋଇ ସକାରାତ୍ମକ ଭାବଧାରାରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ପାଇଁ ଆଗେଇ ଆସିବା ଉଚିତ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ତଥା ପରିବର୍ତ୍ତନ ଆଣିବା ପାଇଁ ସରକାର ସଂକଳ୍ପବଦ୍ଧ । ବିଧାନସଭା ଓ ବିଚାର ବିଭାଗ ଆମର ଦୁଇଟି ମୁଖ୍ୟ ସ୍ତମ୍ଭ । ଏହି ଦୁଇଟି ଅନୁଷ୍ଠାନ ମଧ୍ୟରେ ସୁସଂହତି ରହିବା ଦରକାର । ତା’ହେଲେ ଯାଇ ସମ୍ବିଧାନର ସୁରକ୍ଷା ହୋଇପାରିବ । ରାଜ୍ୟରେ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରି ନାରୀମାନଙ୍କ କ୍ଷେତ୍ରରେ ଯେଉଁ ଅପରାଧ ସଂଗଠିତ ହେଉଛି ସେ କ୍ଷେତ୍ରରେ ଦୋଷୀକୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ସରକାର ଉଦ୍ୟମ କରୁଛନ୍ତି । ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ସହ ଆଇନ କମିଶନ୍ ବସାଇ ଆବଶ୍ୟକ ପଡ଼ୁଥିବା ଆଇନର ସଂସ୍କାର ଓ ସଂଶୋଧନ ଅଣାଯିବ । ଦୁର୍ଗମ ଅଞ୍ଚଳ ତଥା ନିରକ୍ଷର ଲୋକମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ସହାୟତା କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ।
ଏହି ଜ୍ଞାନସଂସ୍କାର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ କହିଲେ ଯେ ଗଣତନ୍ତ୍ରର ତିନୋଟି ପ୍ରମୁଖ ଅନୁଷ୍ଠାନ ମଧ୍ୟରୁ ବିଧାନସଭା ନିଷ୍ଠାପର ଭାବେ କାର୍ଯ୍ୟ କରି ଗଣତାନ୍ତ୍ରିକ ପଦ୍ଧତିରେ ଶାସନ ବ୍ୟବସ୍ଥାର ରକ୍ଷକ ଭାବେ କାର୍ଯ୍ୟକରି ଆସୁଅଛି । ସଠିକ୍ ନ୍ୟାୟ ନିର୍ଣ୍ଣୟ କରିବା, ନ୍ୟାୟିକ ବ୍ୟବସ୍ଥାର ସୁପରିଚାଳନା ସହ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା ଦିଗରେ ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀମାନେ ବ୍ରତୀ ହେବା ଉଚିତ ।
ଏହି ଅବସରରେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଭଗବାନ ପ୍ରସାଦ ସାହୁ, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଭୂ ପ୍ରସାଦ ପଣ୍ଡା, ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର, ଓଡ଼ିଶା ଜୁଡ଼ିସିଆଲ୍ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ବିଦୁ୍ୟତ କୁମାର ମିଶ୍ର, ବିଧାନସଭାର ଯୁଗ୍ମ ସଚିବ ଶ୍ରୀ ସତିଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀ, ଶିକ୍ଷାନବିସମାନଙ୍କୁ ମାର୍ଗଦର୍ଶନ ଦେବା ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୫୪ ଜଣ ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀ, ଶିକ୍ଷାନବିସ ବିଧାନସଭାର ବିଭିନ୍ନ କାର୍ଯ୍ୟପଦ୍ଧତି ଓ କାର୍ଯ୍ୟଧାରା ସହ ଅବଗତ ହୋଇଥିଲେ ।
-0-
ବିଭୂତିନାୟକ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ