କବି ଅଶି୍ୱନୀ ମିଶ୍ର ପାଇବେ ଚଳିତ ବର୍ଷର “ଶ୍ରୀବଳଦେବ ସମ୍ମାନ”

କେନ୍ଦ୍ରାପଡ଼ା, ୧୩/୧୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲଳ ସାହିତ୍ୟ ପରିଷଦ ପକ୍ଷରୁ ଓଡିଶାର ଜଣେ ବିଶିଷ୍ଟ ସାରସ୍ୱତ ସାଧକକୁ ପ୍ରଦାନ କରାଯାଉଥିବା ପୁରସ୍କାର ‘ଶ୍ରୀବଳଦେବ ସମ୍ମାନ’ ଚଳିତ ବର୍ଷ ବିଶିଷ୍ଟ କବି ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଂପାଦକ ଅଶ୍ୱିନୀ ମିଶ୍ରଙ୍କୁ ପ୍ରଦାନ କରାଯିବ । ଏହି ପୁରସ୍କାର ସ୍ୱରୂପ ତାଙ୍କୁ ଏକୋଇଶି ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । ଏହା ପୂର୍ବରୁ ଏହି ସମ୍ମାନ ଗାଳ୍ପିକ ପଦ୍ମଜ ପାଳ, କବି ପ୍ରସନ୍ନ ମିଶ୍ର, ନାଟ୍ୟକାର ବିଜୟ ମିଶ୍ର, ପ୍ରାବନ୍ଧିକ ନିତ୍ୟାନନ୍ଦ ଶତପଥୀ, ଗାଳ୍ପିକ ଦେବ୍ରାଜ ଲେଙ୍କା, କବି ଗୋପାଳକୃଷ୍ଣ ରଥ, ପ୍ରାବନ୍ଧିକ କୃଷ୍ଣ ଭୂୟାଁ, ଗାଳ୍ପିକ ରବି ସ୍ୱାଇଁ, ପ୍ରାବନ୍ଧିକ ଧନେଶ୍ୱର ମହାପାତ୍ର, କଥାକାର ବିଜୟ ନାୟକ ପ୍ରଭୃତି ଦିଗଜ୍ ସାହିତ୍ୟିକଙ୍କୁ ପ୍ରଦାନ କରାଯାଇ ଆସିଅଛି । ଜିଲା ସାହିତ୍ୟ ପରିଷଦ ପକ୍ଷରୁ ଅନ୍ୟ ପୁରସ୍କାର ମଧ୍ୟରେ ଗାଳ୍ପିକ ସ୍ୱର୍ଗତ ଅଦ୍ୱୈତ ମହାନ୍ତିଙ୍କ ସ୍ମୃତିରେ ପ୍ରବର୍ତିତ ଅଦ୍ୱୈତ କଥା ପୁରସ୍କାର ପାଇବେ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ, ବିଶିଷ୍ଟ କବି ଦୀପକ ମିଶ୍ରଙ୍କ ସ୍ମୃତିରେ ପ୍ରବର୍ତିତ ‘ଦୀପକ ମିଶ୍ର କବିତା ପୁରସ୍କାର’ ପାଇବେ କବି ଚିତରଂଜନ ନାୟକ, ବ୍ରହ୍ମାନନ୍ଦ ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଅନୁବାଦକ ପ୍ରଫେସର ତପନ ପଣ୍ଡା, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଡ. ଅସୀତ ମହାନ୍ତି ପାଇବେ ସ୍ୱର୍ଗତ ଆର୍ତବଲ୍ଲଭ ମହାନ୍ତିଙ୍କ ସ୍ମୃତିରେ ପ୍ରବର୍ତିତ ଆର୍ତବଲ୍ଲଭ ଗବେଷଣା ପୁରସ୍କାର । ଏହି ସବୁ ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ପାଂଚ ହଜାର ମୁଦ୍ରା ସହ ମାନପତ୍ର ପ୍ରଦାନ କରାଯିବ । ଏତଦ୍ ବ୍ୟତିତ କେନ୍ଦ୍ରାପଡ଼ା ଜିଲାର ଜଣେ ସାରସ୍ୱତ ସାଧକଙ୍କୁ ‘ତୁଳସୀ ସମ୍ମାନ’ ପ୍ରଦାନ କରାଯିବା କ୍ରମରେ ବର୍ଷିୟାନ ସାରସ୍ୱତ ସାଧକ, ବିଶିଷ୍ଟ ସର୍ବୋଦୟ ନେତା, ଚିନ୍ତକ କୃଷ୍ଣ ସିଂହଙ୍କୁ ‘ତୁଳସୀ ସମ୍ମାନ’ ପ୍ରଦାନ କରାଯିବ ବୋଲି ପରିଷଦର କାର୍ଯ୍ୟକାରିଣୀ ବୈଠକରେ ନିର୍ଣ୍ଣୟ ନିଆଯାଇଛି । ଏହି ବୈଠକରେ ପରିଷଦର ସଭାପତି ଡ. ଅପର୍ଣ୍ଣା ମହାନ୍ତି, ଗାଳ୍ପିକ ଅତୁଲ ବଳ, କବି ମଧୁସୂଦନ ଦାସ, ଭୁବନମୋହନ ଜେନା, ନବଜ୍ୟୋତି ରାୟ, ପ୍ରଦୀପ ନାୟକ, ପ୍ରମୋଦ ମଲ୍ଲିକ, ଡ. ପ୍ରକାଶ କୁମାର ପରିଡା, ମାତୃଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସାହିତ୍ୟ ପରିଷଦର ଆସନ୍ତା ବାର୍ଷିର୍କ ଉତ୍ସବରେ ବିଶିଷ୍ଟ ଅତିଥିଙ୍କ କରକମଳରେ ଏହି ପୁରସ୍କାର ବିତରଣ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସଂପାଦକ ସରୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *