ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଆଇନ ସଚେତନତା ସଭା

ଯାଜପୁର,୦୭/୧୧/୨୦୨୬(ଓଡ଼ିଶା ସମାଚାର)- ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ବରୀ ବ୍ଲକ୍ ଅନ୍ତର୍ଗତ ହାଟସାହିସ୍ଥିତ ବରିଷ୍ଠ ନାଗରିକ ଗୃହ ‘ଆଶାନାୟକମ୍’ ପରିସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି ଅଧ୍ୟକ୍ଷତା କରି ଜାତୀୟ ଆଇନ ସେବା ଦିବସ ପ୍ରତିବର୍ଷ ନଭେମ୍ବର ୯ ତାରିଖରେ ପାଳନ କରାଯାଉଥିବା ସୂଚନା ଦେଇଥିଲେ। ଏହି ଦିବସ ପାଳନ ପରିପ୍ରେକ୍ଷୀରେ ନଭେମ୍ବର ୭ ତାରିଖଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସେ ପ୍ରକାଶ କରିଥିଲେ। ୧୯୮୭ ମସିହା ନଭେମ୍ବର ୯ ତାରିଖରେ ଆଇନ ସେବା ପ୍ରାଧିକରଣ ଅଧିନିୟମ ଗୃହୀତ ହୋଇଥିଲା। ଏହି ଅଧିନିୟମ ମାଧ୍ୟମରେ ସମାଜର ଦୁର୍ବଳ ଓ ଅବହେଳିତ ବର୍ଗର ଲୋକମାନେ କିପରି ମାଗଣା ଆଇନ ସହାୟତା ଓ ନ୍ୟାୟ ପାଇପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଅତିଥି ଆଲୋଚକ ଭାବେ ଯୋଗଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପୂର୍ବତନ ସଦସ୍ୟ ତଥା ସାମାଜିକ କର୍ମୀ ଡ. ରୁଦ୍ରନାରାୟଣ ପୃଷ୍ଟି ଆଇନ ସେବା ପ୍ରାଧିକରଣ ଅଧିନିୟମର ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ବିଧାନର ଧାରା ୩୯(କ) ଅନୁଯାୟୀ ରାଷ୍ଟ୍ର ସମସ୍ତଙ୍କୁ ସମାନ ନ୍ୟାୟ ଏବଂ ମାଗଣା ଆଇନ ସହାୟତା ଯୋଗାଇଦେବା ପାଇଁ ପ୍ରତିବଦ୍ଧ। ଦାରିଦ୍ର୍ୟ, ଅସହାୟତା କିମ୍ବା ଅନ୍ୟ କୌଣସି ପ୍ରତିବନ୍ଧକ ଯୋଗୁଁ ଯେପରି କେହି ନ୍ୟାୟ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମସ୍ତଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା ହେଉଛି ଜାତୀୟ ଆଇନ ସେବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଅମିୟ କୁମାର ଜେନା ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ପରିଚାଳନାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ବରିଷ୍ଠ ନାଗରିକ ଗୃହର କର୍ମଚାରୀମାନେ ସହଯୋଗ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *