ଜିଲା ବରିଷ୍ଠ ନାଗରିକ ମଂଚର ବିଶେଷ ଅଧିବେଶନ

କେନ୍ଦ୍ରାପଡ଼ା,୧୨/୧୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ବରିଷ୍ଠ ନାଗରିକ ମଂଚ କାର୍ଯ୍ୟକାରୀ କମିଟିର ଏକ ବିଶେଷ ଅଧିବେଶନ ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଖଡିଅଙ୍ଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ବରିଷ୍ଠ ସଭ୍ୟ ସୟଦ ଅକମଲ ଅଲ୍ଲୀଙ୍କ ହୃଦ୍ ଅସ୍ତ୍ରୋପଚାର ଜନିତ ଅସୁସ୍ଥତା ନେଇ ଉଦବେଗ ପ୍ରକାଶ କରାଯିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଥିଲା । ଜିଲାର ଏକ ସମ୍ମାନଜନକ ସଂଗଠନର ସ୍ଥାୟୀ କାର୍ଯ୍ୟାଳୟ ଗୃହର ଅଭାବ ନେଇ ଉଦବେଗ ପ୍ରକାଶ କରାଯିବା ସହ ଆବଶ୍ୟକ ସରକାରୀ ଜମି ଯୋଗାଣ ନିମନ୍ତେ ବିଗତ ଦିନରେ ଜିଲ୍ଲାପାଳଙ୍କ ସହ ହୋଇଥିବା ସାକ୍ଷାତ ଆଲୋଚନା ଓ ଅଦ୍ୟାବଧି  ପଦକ୍ଷେପ ନେଇ ଆଲୋଚନା କରାଯାଇଥିଲା । ଏଥିସହ ଜିଲା ପ୍ରଶାସନ ଓ ପୌର ପରିଷଦ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରି ଉପଯୁକ୍ତ ସରକାରୀ ଜମି ଓ ତତ୍ ସହିତ ଗୃହ ନିର୍ମାଣ ନିମନ୍ତେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତି ଶ୍ରୀ ମହାନ୍ତି, ବରିଷ୍ଠ ସଭ୍ୟ ଫକୀର ଚରଣ ଖଟୁଆ ଓ ଡା. ଶରତ ଚନ୍ଦ୍ର ସ୍ୱାଇଁଙ୍କ ପରାମର୍ଶକ୍ରମେ ୬ଜଣ ବରିଷ୍ଠ ସକ୍ରିୟ ସଭ୍ୟଙ୍କୁ ନେଇ ଏକ ସବ୍କମିଟି ଗଠନ କରାଗଲା । ଉକ୍ତ କମିଟି ଜିଲା ପ୍ରଶାସନ ଓ ପୌର ପରିଷଦ ସହ ଯୋଗାଯୋଗ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାୟିତ୍ୱ ଅର୍ପଣ କରାଗଲା । ଆସନ୍ତା ଡିସେମ୍ବର ମାସ ଦ୍ୱିତୀୟ ଶନିବାର ମଂଚ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଓ ତତ୍ ସଂଲଗ୍ନ ଅଂଚଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ କାର୍ଯ୍ୟ କରାଯିବାକୁ ସ୍ଥିର କରାଗଲା । ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ ବିବରଣୀ ପାଠ କରିଥିବା ବେଳେ ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ ଆୟବ୍ୟୟ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରହଲ୍ଲାଦ ମଲ୍ଲ, ନରୋତମ ଜେନା, ଜଗମୋହନ ହୋତା, ନିତ୍ୟାନନ୍ଦ ସ୍ୱାଇଁ, ଅଦ୍ୱୈତ କୁମାର ଦାସ, ଡ. ଉପେନ୍ଦ୍ରନାଥ ପ୍ରଧାନ, ଶୈଳେନ୍ଦ୍ର କୁମାର ମହାନ୍ତି, ନୁରୁଲ ହାସନ୍, ସୁବାସ ଚନ୍ଦ୍ର ପାତ୍ର, ଅକ୍ଷୟ କୁମାର ନାୟକ, ଡା. ବିଜୟ କୁମାର ଦାସ, ସୁବାଷ ଚନ୍ଦ୍ର ଦାସ ପ୍ରଭୃତି ଉପସ୍ଥିତ ରହି ସଭ୍ୟ ସଂଗ୍ରହ ଅଭିଯାନ, ସଭ୍ୟମାନଙ୍କୁ ପରିଚୟ ପତ୍ର ପ୍ରଦାନ, ଆଗାମୀ ବାର୍ଷିକ ଅଧିବେଶନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *