- ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।
- ବେଆଇନ୍ ନିଶା ଏବଂ ମାଦକ ଦ୍ରବ୍ୟ ବ୍ୟବହାର ଓ ଚୋରା ଚାଲାଣକାରୀଙ୍କ ପ୍ରତି କଡା ନଜର ରଖାଯିବ ।
ଭୁବନେଶ୍ୱର, ୨୭/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଗାମୀ ଲୋକସେବା ଏବଂ ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା (ଏନଫୋର୍ସମେଣ୍ଟ ଏଜେନ୍ସି) ମାନଙ୍କ ସହିତ ଏକ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ଆଜି ମୁଖ୍ୟ ଶାସନସଚିବ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଆଗାମୀ ନିର୍ବାଚନ ସମୟରେ ଯେପରି ମାଦକ ଦ୍ରବ୍ୟ ସେବନ, ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଜନିତ କୌଣସି ବିଶୃଙ୍ଖଳା ନହୁଏ, ଅପରାଧିକ କାର୍ଯ୍ୟକଳାପ ସୃଷ୍ଟି ନହୁଏ, ସେଥିପ୍ରତି ସମ୍ମିଳିତ ପ୍ରୟାସରେ ଆଇନ୍ ଖିଲାପ କାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ପୁଲିସ୍ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ, ବାଣିଜ୍ୟକର ବିଭାଗ ଆଦି ସମନ୍ୱୟରେ ଚଢ଼ାଉକୁ ଗୁରୁତ୍ୱ ଦିଆଯିବ। ପୋଲିସ୍ ଦ୍ୱାରା ଆନ୍ତଃରାଜ୍ୟ ସୀମା ଏବଂ ପୋଲିସ୍ ଚେକ୍ ପୋଷ୍ଟ ଗୁଡିକରେ କଡ଼ା ନଜର ରଖାଯିବ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଓଡିଶା ସୀମାକୁ ଲାଗି ଥିବା ୧୧୮ଟି ପୁଲିସ୍ ଚେକ୍ ପୋଷ୍ଟରେ କଡା ନଜର ରହିବ । ମାଦକ ଦ୍ରବ୍ୟ ଯଥା ମଦ, ଗଞ୍ଜେଇ, ଭାଙ୍ଗ, ମଦ ଆଦି ଚୋରାଚାଲାଣ କୁ କଡାକଡି ଭାବେ ରୋକାଯିବ । ନିର୍ବାଚନ ପୂର୍ବରୁ ବିଭିନ୍ନ ବର୍ଷରେ ହୋଇଥିବା ମାଦକ ଦ୍ରବ୍ୟ ଚଢ଼ାଉ ସଂପର୍କରେ ପୋଲିସ ବିଭାଗ ତରଫରୁ ତଥ୍ୟ ପ୍ରଦାନ କରାଯାଇଥିଲା।
ଏହି ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର , ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଢ଼ଙ୍ଗୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପିସିସିଏଫ୍ ଓ୍ୱାଇଲଡ୍ ଲାଇଫ ଶ୍ରୀ ଶୁଶାନ୍ତ ନନ୍ଦ , ପରିବହନ ବିଭାଗ କମିଶନର ଶ୍ରୀ ଅମିତାଭ ଠାକୁର ଓ ଅବକାରୀ କମିଶନର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।