ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଏବଂ ମର୍ଦ୍ଦଳ ର ଏକ ଅନନ୍ୟ ସନ୍ଧ୍ୟା

ଭୁବନେଶ୍ୱର, ୧୭/୧୨/୨୦୨୩ (ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜାଗୃତି ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ଆନକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଏବଂ ମର୍ଦ୍ଦଳ ବାଦନ ର ଏକ ନିଆରା ଓ ଅଦ୍ୱିତୀୟ କାର୍ଯ୍ୟକ୍ରମ “ପରମ୍ପରା” । ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲେ ମଧ୍ୟ କେବଳ ଓଡ଼ିଶୀ ସଙ୍ଗୀତ ଏବଂ ମର୍ଦ୍ଦଳ ବାଦନ କୁ ସମର୍ପିତ କାର୍ଯ୍ୟକ୍ରମ ପ୍ରାୟତଃ ଦେଖିବାକୁ ମିଳେନାହିଁ। ଜାଗୃତି ସାଂସ୍କୃତିକ ଅନୁଷ୍ଠାନ ର ଏହା ଏକ ସ୍ୱତନ୍ତ୍ର ଏବଂ ଅଦ୍ୱିତୀୟ କାର୍ଯ୍ୟକ୍ରମ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ତଥା ଓଡ଼ିଶୀ ସଙ୍ଗୀତ ଏବଂ ମର୍ଦ୍ଦଳ ର ବିଦ୍ୱାନ ଗୁରୁ ବୃନ୍ଦ ଯଥା ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଡ଼ଃ. ଶାନ୍ତନୁ ରଥ, ଡ଼ଃ. କୀର୍ତ୍ତନ ନାରାୟଣ ପାଢ଼ୀ, ଗୁରୁ ପ୍ରାଧ୍ୟାପକ ରାମହରି ଦାସ ଏବଂ ଗୁରୁ ଧନେଶ୍ଵର ସ୍ୱାଇଁ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହିତ ଜାଗୃତି ସାଂସ୍କୃତିକ ଅନୁଷ୍ଠାନ ଏଭଳି ଏକ ନୂତନ ଏବଂ ଅଦ୍ୱିତୀୟ ଆଭିମୁଖ୍ୟ କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମ ର ପ୍ରଥମ ପ୍ରସ୍ତୁତି ରେ ମର୍ଦ୍ଦଳ ଏକାଡେମୀ, ଭୁବନେଶ୍ୱର ର ଗୁରୁ ନିରଞ୍ଜନ ସାହୁ ଏବଂ ଶ୍ରୀ ସୌମ୍ୟ ରଂଜନ ନାୟକ ଙ୍କ ଦ୍ଵାରା ତ୍ରିପଟା ତାଳ ରେ ଯୁଗ୍ମ ମର୍ଦ୍ଦଳ ବାଦନ ପରିବେଷଣ କରାଯାଇଥିଲା। ଏଥିରେ ମର୍ଦ୍ଦଳ ର ସମସ୍ତ ଶାସ୍ତ୍ରୀୟ ପର୍ଯ୍ୟାୟ ଗୁଡ଼ିକ ପରିବେଷିତ ହୋଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ସତରୂପା ମିଶ୍ର ଏବଂ ଲିପ୍ସା ମିଶ୍ର ଙ୍କ ଦ୍ଵାରା ଓଡ଼ିଶୀ ଯୁଗ୍ମ ଗାୟନ ପରିବେଷଣ କରାଯାଇଥିଲା । ଶ୍ରୀଯୁକ୍ତ ଗୁରୁ ହିମାଂଶୁ ଶେଖର ସ୍ୱାଇଁ ଏବଂ ବିଦୁଷୀ ସଂଗୀତା ପଣ୍ଡା ମଧ୍ୟ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ।    ପରେ ପରେ ପରିବେଷିତ ହୋଇଥିଲା ଯୁଗ୍ମ ମର୍ଦ୍ଦଳ ବାଦନ ଯାହାକୁ ଗୁରୁ ଧନେଶ୍ଵର ସ୍ୱାଇଁ ଙ୍କ ବାଦ୍ୟ ବାଣୀ ଗୁରୁକୂଳ ର ଦୁଇ ଯୁବ ମର୍ଦ୍ଦଳ ବାଦକ ଯଥା ଶ୍ରୀ ରୋହିତ ପ୍ରଧାନ ଏବଂ ଡଃ. ବିଭୂତି ଭୂଷଣ ଚମ୍ପତ୍ତି ଆଦିତାଳ ରେ ଜମାଣ, ଛନ୍ଦ ପ୍ରକରଣ, ବାଦ୍ୟ ଅଳଙ୍କାର, ନାଟ୍ୟଙ୍ଗି ଉକ୍କୁଟ, ଅରସା, ଭଉଁରୀ ଅରସା ଆଦି ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ଗୁରୁ ନିରଞ୍ଜନ ପାତ୍ର ଏବଂ ଗୁରୁ ରବୀନ୍ଦ୍ରନାଥ ମିଶ୍ର ଙ୍କ ଦ୍ଵାରା ଓଡ଼ିଶୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଦୁଇ ବରିଷ୍ଠ ଗୁରୁ ଙ୍କ ର ଏହି ପ୍ରସ୍ତୁତି ଅତି ଚମତ୍କାର ଥିଲା ଏବଂ ସମ୍ପୂର୍ଣ୍ଣ ପରିବେଶକୁ ସଙ୍ଗୀତମୟ କରିଥିଲା। ବାଦ୍ୟ ଯନ୍ତ୍ର ରେ ସହଯୋଗ କରୁଥିଲେ ଗୁରୁ ଜବାହର ମିଶ୍ର (ବଂଶୀ), ଶ୍ରୀ ମୂରଲୀଧର ସ୍ୱାଇଁ ( ମର୍ଦ୍ଦଳ) ଏବଂ ଜଳନ୍ଧର ନାୟକ (ମର୍ଦ୍ଦଳ)।ଉକ୍ତ ଉତ୍ସବ ରେ ଶ୍ରୀଯୁକ୍ତ ସତ୍ୟବ୍ରତ କାଠ ଙ୍କୁ ଗୁରୁ କ୍ଷୀରୋଦ ଚନ୍ଦ୍ର ପାତ୍ର ସ୍ମୁତି ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଡ଼ଃ. ମୃତ୍ୟୁଞ୍ଜୟ ରଥ । ଅନୁଷ୍ଠାନ ର କାର୍ଯ୍ୟନିର୍ବାହୀ ନ୍ଵାସି ଗୁରୁ ନିରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ଶ୍ରୀ ତ୍ରିଲୋଚନ ସାହୁ କାର୍ଯ୍ୟକ୍ରମ ର ସମସ୍ତ ପର୍ଯ୍ୟାୟ ସ୍ତିର କରିବା ସହ ସଠିକ୍ ରୂପେ କାର୍ଯ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *