ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ  ଖାଦ୍ୟ ମେଳା।

ଜଗତସିଂହପୁର, ୧୦/୧୧/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ  ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ସାଂସଦ, ଶ୍ରୀ ବିଭୁ ପ୍ରସାଦ ତରାଇ  କହିଲେ ଆମ ରାଜ୍ୟ ଓ ଦେଶ ଏକ କୃଷି ପ୍ରଧାନ ଦେଶ। ମାଣ୍ଡିଆ ଏକ ଏଭଳି ଖାଦ୍ୟ ଏହା ଶରୀରକୁ ପୋଷଣ ଯୋଗାଇବା ସହିତ ରୋଗପ୍ରତୋରୋଧକ ଶକ୍ତି ବଢାଇ ଥାଏ।  ବର୍ତ୍ତମାନ ମଣ୍ଡିଆର ଲୋକପ୍ରିୟତା ବଢିବା ସହିତ ମିଶନ ଶକ୍ତି ମା’ ମାନଙ୍କ ଦ୍ଵାରା ମାଣ୍ଡିଆ ର ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି। ତେଣୁ ଏହି ପୁଷ୍ଟି ଶସ୍ୟ ଖାଦ୍ୟ ଉତ୍ପାଦନ ରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷୀ ମାନଙ୍କୁ ଲାଭବାନ ହେବାପାଇଁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଶ୍ରୀ  ଅମରେନ୍ଦ୍ର ଦାସ ଯୋଗଦେଇ  ସମସ୍ତ ବ୍ଲକ୍ ରେ ମାଣ୍ଡିଆ ତଥା ବିସ୍ତୃତ ଫସଲ ର ପୁନଃ ଉପଯୋଗ ନିମନ୍ତେ କୃଷି ବିଭାଗ ଓ ଚାଷୀ ମାନଙ୍କୁ ଉପଦେଶ ଦେଇଥିଲେ।ସେ କହିଲେ ପୂର୍ବରୁ ମାଣ୍ଡିଆର ଖାଦ୍ୟ ପ୍ରତ୍ୟେକ ପରିବାରରେ ବ୍ୟବହୃତ ହେଉଥିଲା। ମାଣ୍ଡିଆ ଶରୀରକୁ ସୁସ୍ଥ ରଖେ ତେଣୁ ପିଲାମାନେ ଫାଷ୍ଟ ଫୁଡ୍ ଛାଡ଼ି ମାଣ୍ଡିଆ ଜାତ ଖାଦ୍ୟ ଖାଇବାକୁ ବିଧାୟକ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ଜିଲ୍ଲାର ମାଣ୍ଡିଆ ଚାଷ କରୁଥିବା ଚାଷୀମାନଙ୍କୁ   ଧନ୍ୟବାଦ୍ ଜଣାଇଥିଲେ। ଆଗକୁ ଜିଲ୍ଲାର ସମସ୍ତ ବ୍ଲକରେ ମାଣ୍ଡିଆ ଚାଷ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ  , ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଯୋଗଦେଇ ପୁରୁଣା ଖାଦ୍ୟ ବ୍ୟବସ୍ଥାକୁ ଉଜ୍ଜିବିତ କରିବା ଓ ଖାଦ୍ୟ ସାରଣୀରେ ମାଣ୍ଡିଆ କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା ବିଭିନ୍ନ ବ୍ଳକ୍ ରୁ ଆସି  ଏହି ଦିବସ ରେ ସାମିଲ୍ ହୋଇଥିବା ୨୦୦ ରୁ ଉର୍ଦ୍ଧ୍ବ ଚାଷୀ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମାଣ୍ଡିଆ ଦିବସ ପାଳନ ର ବିଶେଷତ୍ଵ ବିଷୟରେ ଅବଗତ କରାଇଥିଲେ। ବିଶ୍ଵ ସ୍ତରରେ ପୁଷ୍ଟି ଶସ୍ୟ ଓ ଶ୍ରୀ ଅନ୍ନର ପୁନରୁଦ୍ଧାର କରାଯାଇ ଏହାକୁ ପ୍ରତ୍ୟେକ ଖାଦ୍ୟ ଥାଳିରେ ସାମିଲ କରିବା ଦ୍ୱାରା ଏହାର ପୃଷ୍ଟି ପୋଷକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ମେଳା ଆୟୋଜିତ ହେଉଅଛି। ଏହା ବିଭିନ୍ନ ଅଂଶୀଦାରଙ୍କ ଅନୁଭୂତ ମୂଳକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ସଫଳ ରୂପାୟନ ନିମନ୍ତେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କ ସହଯୋଗ କାମନା କରାଯାଉଛି। ଏହି ଅବସରରେ ଅଗ୍ରଣୀ ପୁଷ୍ଟିଶସ୍ୟ ଚାଷୀ, ଶ୍ରୀ ଅନ୍ନ ଖାଦ୍ୟ  ପ୍ରସ୍ତୁତି ପ୍ରତିଯୋଗିତାରେ କୃତୀ ସ୍ଵୟଂ ସହାୟକ ଗୋଷ୍ଠୀ, ଏଵଂ ମାଣ୍ଡିଆ ଦିବସ ଉପଲକ୍ଷେ ଆୟୋଜିତ କୁଇଜ୍ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ  ଅତିଥି ମାନେ ପୁରସ୍କୃତ କରିଥିଲେ। ପରେ ଅତିଥିମାନେ ଜିଲ୍ଲାସ୍ତରୀୟ ଖାଦ୍ୟ ମେଳା ଓ ପ୍ରଦର୍ଶନୀ ବୁଲି ଦେଖିଥିଲେ।  ବୈଷୟିକ ଅଧିବେଶନ ରେ ଆଇ ସି ଏ ଆର ର ମୁଖ୍ୟ ବୈଜ୍ଞାନିକ ଡଃ ସୁକାନ୍ତ କୁମାର ଷଡ଼ଙ୍ଗୀ, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ , ଭୁବନେଶ୍ୱର ର ବୈଜ୍ଞାନିକ ଶ୍ରୀମତୀ ମନିତା ମହାପାତ୍ର ଏଵଂ ଜଗତସିଂହପୁର କୃଷି ବିଜ୍ଞାନ କେନ୍ଦ୍ର ର  ର ବୈଜ୍ଞାନିକ ଶ୍ରୀମତୀ ସସ୍ମିତା ପୁରୋହିତ ଉପସ୍ଥିତ ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଅମଳ ପରବର୍ତ୍ତୀ ଫସଲ ର ଯତ୍ନ ସଂପର୍କରେ ଅବଗତ କରାଇଥିଲେ। ଅମ୍ବିକା ପାଲା ସଂସଦ ଦ୍ବାରା ପୁଷ୍ଟିଷଷ୍ୟ ସମ୍ବଳିତ ପାଲା ପରିବେଷଣ କରା ଯାଇଥିଲା।ଏହି ଉତ୍ସବରେ ବିଭିନ୍ନ ବ୍ଲକରୁ ଆସିଥିବା ମିଶନ ଶକ୍ତି ମହିଳା, ସ୍ଵୟଂ ସହାୟକ ଗୋଷ୍ଠୀ, ମିଲେଟ ଚାଷୀ, ଗଣମାଧ୍ୟମ ପ୍ରତିନିଧି, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।ସହକାରୀ କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ସ୍ୱାଗତିକା ମିଶ୍ର ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *