ଆଜି ଭାଦ୍ରବ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ । ପୌରାଣିକ କଥା ଅନୁସାରେ ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ ତାହା ହେଉଛି “ଶ୍ରୀମଦ୍ ଦ୍ଭାଗବତ” । ବ୍ୟାଖ୍ୟାକାରମାନଙ୍କ କଥନରେ ଏବଂ ଲୋକ ପରମ୍ପରାରେ ପ୍ରଚଳିତ ଅଛି, ଯେ ରାଜା ପରୀକ୍ଷିତଙ୍କୁ ଶୁକମୁନି ଭାଦ୍ରବ ଶୁକ୍ଳ ନବମୀ ଦିନ ଭଗବାନଙ୍କର ସେହି ଅମୃତ ଆଖ୍ୟାନ ଶୁଣାଇବା ଆରମ୍ଭ କରିଥିଲେ ଏବଂ ତାହା ଭାଦ୍ରବ ପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ ହୋଇଥିଲା । ସେଇଥିପାଇଁ ‘ଭାଦ୍ରବ ପୂର୍ଣ୍ଣମୀ’କୁ ‘ଭାଗବତ ଜନ୍ମ’ ଭାବରେ କାହିଁ କେଉଁ କାଳରୁ ପାଳନ କରାଯାଉଛି ।
ଶ୍ରୀମଦ ଭାଗବତ ଭଗବାନଙ୍କ ମୁଖ ନିସୃତବାଣୀ ବୋଲି ସମସ୍ତେ ପ୍ରାୟତଃ ଜାଣନ୍ତି । ଭାଗବତ ପାଠ କଲେ ସମସ୍ତ ପାପ ତାପ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଆସିଛି । ଭାଗବତରେ ଭଗବାନଙ୍କ ଲୀଳା, ରୂପ, ଧାମ ଓ ମାହାତ୍ମ୍ୟ ଆଦିର ବର୍ଣ୍ଣନା କରାଯାଇଛି । ଭଗବାନ ଅନେକ ରୂପ ଧାରଣ କରି ନାନା ପ୍ରକାର ଲୀଳା କରନ୍ତି । ଭାଗବତ କଥା ଶ୍ରବଣରେ ସମସ୍ତ ପ୍ରକାର ଅଶୁଭ ତଥା ଯାବତୀୟ ଦୁଃଖ ତଥା ବହୁବିଧ ବିଘ୍ନ ଦୂର ହୋଇଥାଏ । ମହର୍ଷି ବ୍ୟାସଦେବଙ୍କ କୃତ ଶ୍ରୀମଦ୍ ଭାଗବତ ସଂସ୍କୃତ ଭାଷାରେ ଧର୍ମୋପନିଷେଦ ମଧ୍ୟରେ ଏକ ସର୍ବୋତ୍କୃଷ୍ଟ ପରିଣତି । ଏହାର ଆଧ୍ୟାତ୍ମିକ ମୂଲ୍ୟବୋଧ ତଥା ଏଥିରେ ବର୍ଣ୍ଣିତ ସାଧନା ଭକ୍ତି, ଜ୍ଞାନ, ବୌରାଗ୍ୟ, ସମାଜ ଗଠନ ପ୍ରଣାଳୀ ପ୍ରଭୃତି ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଉପାଦେୟ । ମାନବର କଲ୍ୟାଣ ନିମନ୍ତେ ବ୍ୟାସଦେବ ଏହି ଗ୍ରନ୍ଥକୁ ରଚନା କରିଥିଲେ । ଏହି ଦୃଷ୍ଟିରୁ ଶ୍ରୀମଦ୍ ଭାଗବତ ଗ୍ରନ୍ଥ ସାକ୍ଷାତ ଭଗବାନଙ୍କର ପରମ ମଙ୍ଗଳମୟ ମୂର୍ତି ବୋଲି କୁହାଯାଏ ।
‘ଶ୍ରୀମଦଭାଗବତ’ ରଚନା ଦିନେ ବ୍ୟାସଦେବ ଅନ୍ୟମନସ୍କ ଭାବରେ ବସିଥିଲେ । ତାଙ୍କ ପାଖରେ ପହଂଚିଥିଲେ ନାରଦ ମୁନି । ନାରଦ ମୁନି ବ୍ୟାସଦେବଙ୍କ ମୁହଁକୁ ଦେଖି ପଚାରିଥିଲେ ତୁମ ମୁହଁ ଦେଖିଲେ ମନେ ହେଉଛି ତୁମେ ଦୁଖରେ ଅଛ ? ତୁମ ଭଳି ମହାନ ଜ୍ଞାନି, ଗୁଣୀ, ପଣ୍ଡିତ, ରୁଷିବରଙ୍କର ପୁଣି ମନଦୁଖ କାହିଁକି ? ବେଦ, ପୁରାଣ ମହାଭାରତ ଭଳି ମହାନ ଗ୍ରନ୍ଥ ଯିଏ ରଚନା କରିଛନ୍ତି ତାଙ୍କଠାରୁ ଆଉ କିଏ ମହାନ ଅଛନ୍ତି ? ସେତେବେଳେ ନାରଦ ମୁନିଙ୍କ କଥା ଶୁଣି ବ୍ୟାସଦେବ କହିଛନ୍ତି । ହଁ ମୁନିବର ତୁମ କଥା ଅନୁସାରେ ମୁଁ ବହୁତ କିଛି ରଚନା କରିସାରିଛି । କିନ୍ତୁ କାହିଁକି କେଜାଣି ମୋ ମନରେ ଅବସୋଷ ରହିଯାଇଛି । ଆହୁରି କିଛି ରଚନା କରିବା ପାଇଁ, ଯଦିଓ ମୁଁ ବେଦ, ମହାଭାରତ ଇତ୍ୟାଦି ରଚନା କରିଛି କିନ୍ତୁ ମୁଁ ଚାହୁଁଛି ଏଭଳି ଏକ ଗ୍ରନ୍ଥ ରଚନା କରିବା ପାଇଁ ଯାହାକୁ ସାଧାରଣ ଲୋକମାନେ ପଢିପାରିବେ, ବୁଝିପାରିବେ ଏବଂ କୃଷ୍ଣଙ୍କର ଗୁଣ ଗାନ କରି ସୁଖରେ ରହିପାରିବେ । ସେତେବେଳେ ନାରଦ ମୁନି ଓ ବ୍ୟାସଦେବ ଉଭୟ ଆଲୋଚନା କରି ସ୍ଥିର କଲେ ଭାଗବତ ନାମକ ମହାନ ଗ୍ରନ୍ଥ ରଚନାର କଥା । ତାପରେ ବ୍ୟାସଦେବ ଆରମ୍ଭ କରିଥିଲେ ଭାଗବତ ରଚନା ଏବଂ ତାକୁ ଖୁବ ଶୀଘ୍ର ସାରିଥିଲେ ମଧ୍ୟ । ଭାଗବତ ମହାପୁରାଣରେ ଜନ୍ମମୃତ୍ୟୁ କଥା କୁହାଯାଇଛି । ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତି ପାଇବାକୁ ନିର୍ବାଣ, ମୋକ୍ଷ ବା ସ୍ୱର୍ଗପ୍ରପ୍ତି କୁହାଯାଏ । ଭାଗବତ ମହାପୁରାଣରେ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି ଯେ ଚଉରାଶି ଲକ୍ଷ ଯୋନି ଅତିକ୍ରମ କରିବା ପରେ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ ।
ଭାଗବତ ଶବ୍ଦର ଅର୍ଥ “ଭା’ର ଅର୍ଥ ଭାବ, “ଗ’ର ଅର୍ଥ ଜ୍ଞାନ “ବ’ ର ଅର୍ଥ ବୌରାଗ୍ୟ ଏବଂ “ତ’ର ଅର୍ଥ ତତ୍ୱ କିନ୍ତୁ ବ୍ୟାକରଣ ସୂତ୍ରାନୁସାରେ ଭାଗବତ କୃତଂ ଭାଗବତମ୍, ଅର୍ଥାତ୍ ଯାହା ଭଗବାନଙ୍କ କୃତ ତାହାହିଁ ଭାଗବତ । ଏହି ଭାଗବତରେ ଭଗବାନଙ୍କ କିର୍ତୀ ଏବଂ ମାହାତ୍ମ୍ୟ ବର୍ଣ୍ଣିତ । ଷୋଡଶ ଶତାବ୍ଦୀରେ ଯେଉଁ ମହାମନିଷୀମାନେ ଶ୍ରୀମଦ ଭାଗବତକୁ ଆଧାରକରି ପ୍ରାନ୍ତୀୟ ଭାଷାରେ ନିଜନିଜ ଭକ୍ତି ପୂର୍ଣ୍ଣ କୃତିସମୂହ ଦ୍ୱାରା ସମାଜରେ ଭକ୍ତିଧାରା ସୃଷ୍ଟି କରିବାରେ ମହାନ କାର୍ଯ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରେ ଓଡିଶାର ମହାନ ସନ୍ଥ ଅତିବଡୀ ଜଗନ୍ନାଥ ଦାସ ଅନ୍ୟତମ । ତାଙ୍କ ପ୍ରଣୀତ ଓଡିଆ ଭାଗବତ ଉତ୍କଳୀୟ ଜନଜୀବନ ଓ ଉତ୍କଳୀୟ ସଂସ୍କୃତିର ଏକ ବଳିଷ୍ଠ ଅଙ୍ଗ ପାଲଟି ଯାଇଛି ।
‘ଓଡ଼ିଆ ଭାଗବତ’ ରଚନା ଇତିହାସ କହେ ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ ଦେଉଳରେ ପୁରାଣ ପଣ୍ଡା ଥିଲେ ।
ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣ ପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳ ଭାଷାରେ ବୁଝାଇ ଦେଉଥିଲେ । ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟ ରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦେଶ ଦିଅନ୍ତି । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଂଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ସେ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ଏହାର ଭାବାନୁବାଦ କରିଥିଲେ । ଏବେବି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ନିଇତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି ।
ଓଡିଶାର ପୁରପଲ୍ଲୀରେ ଭାଗବତ ଜନ୍ମକୁ ବେଶ ଆଡମ୍ବରର ସହ ପାଳନ କରାଯାଏ । ଏହି ମହାନ ଧର୍ମ ଗ୍ରନ୍ଥକୁ ସ୍ୱୟଂ ଭଗବାନଙ୍କ ବିଗ୍ରହ ମନେକରି ଆଜି ମଧ୍ୟ ଘରେ ଘରେ ସମସ୍ତେ ପୂଜା କରୁଛନ୍ତି । ଏହା ହିଁ ଉକ୍ତ ଗ୍ରନ୍ଥର ମହାନାତାର ପ୍ରମାଣ । ଭଗବତରେ ଅତିବଡୀ ଜଗନ୍ନାଥ ଦାସ ମନୁଷ୍ୟ ଜନ୍ମକୁ ପ୍ରଶଂସା କରିଅଛନ୍ତି । ଆଜି ସେହି ମହାନ ତଥା ପବିତ୍ର ଗ୍ରନ୍ଥର ଜନ୍ମଦିନ । ଓଡିଆ ପୁରପଲ୍ଲୀରେ ଏହା ଭାଗବତ ଜନ୍ମ ଭାବେ ବେଶ ପ୍ରସିଦ୍ଧ । ପ୍ରତ୍ୟହ ଓଡିଆ ଭାଗବତ ପଢିବାଦ୍ୱାରା ଅନେକ ଅସାଧ୍ୟ କାର୍ଯ୍ୟ ସାଧନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।(ସଂଗୃହୀତ)
