ଯାଜପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ‘ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ

ଯାଜପୁର,୦୭/୧୧/୨୦୨୪ (ଓଡ଼ିଶା ସମାଚାର)-ଶିଶୁ ମାନଙ୍କ ଦକ୍ଷତା ଓ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍କୁଲ୍, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଯାଜପୁର ଶ୍ରୀ ନବକ୍ରିଷ୍ଣ ଜେନା ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କହିଥିଲେ ସୁରଭି ହେଉଛି ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିଥାଏ। ନିଜ ନିଜ ବିଦ୍ୟାଳୟ ସ୍ତରରେ ନିଜର ପ୍ରତିଭାକୁ ଭଲ ଭାବରେ ପ୍ରତିପାଦିତ କରିଛନ୍ତି। ସେଥିପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସାମିଲ କରାଯାଇଛି। ଆଶା ଆକାଂକ୍ଷା ସମସ୍ତଙ୍କର ରହିଛି। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠତ୍ଵ ଦେଖାଇ ରାଜ୍ୟସ୍ତରୀୟକୁ ମନୋନୀତ ହେବେ। ୯ ଟି ବିଭାଗରେ ଯେଉଁ ପ୍ରତିଯୋଗିତା ଅଛି ସେଥିରେ ନିଜର ମନପ୍ରାଣ ଦେଇ ନିଜର ଶ୍ରେଷ୍ଠ ନିଦର୍ଶନ ଦେବେ। ରାଜ୍ୟସ୍ତରରେ କୃତିତ୍ୱ ହାସଲ କରି ଯାଜପୁର ଜିଲ୍ଲା କୁ ଗୌରବାନିତ୍ଵ କରିବାକୁ ପରାମର୍ଶ ଦେଇଥିଲେ।

  ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀମତୀ  ନିବେଦିତା ପାଣି ‘ସୁରଭି’ ଏଥିରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ଜୀବନ ରେ ଉନ୍ନତି କରିବା ପାଇଁ କହିବା ସହ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ଵ ଅର୍ଜନ କରିବାକୁ ଉତ୍ସାହିତ କରିଥଲେ ଓ ଅଭିନନ୍ଦନ ଜଣାଇଥିଲେ।  ଦଶ ଟି ବ୍ଲକର ୩୪୧ ଜଣ ପ୍ରତିଯୋଗୀଙ୍କୁ ନେଇ ୯ ଟି ଇଭେଣ୍ଟରେ ଜିଲ୍ଲାସ୍ତରୀୟ ବିଭିନ୍ନ ଇଭେଣ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି ଯାହାକି ତିନୋଟି କାଟାଗୋରୀ ରେ ବଣ୍ଟା ଯାଇଛି ଯଥାକ୍ରମେ: ଜୁନିଅର କାଟାଗୋରୀ, ସିନିୟର୍ କାଟାଗୋରୀ ଓ ହାଇଅର୍ ସେକେଣ୍ଡାରୀ ଗ୍ରୁପ କାଟାଗୋରୀ ବୋଲି କହିଥିଲେ। ଆସନ୍ତା ନଭେମ୍ବର  ତା ୧୨.୧୧.୨୦୨୪ ରିଖ, ତା ୧୩.୧୧.୨୦୨୪ ରିଖ, ତା ୧୪.୧୧.୨୦୨୪ ରିଖ ତିନିଦିନ ଧରି ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ କ୍ୟାପିଟାଲ ହାଇସ୍କୁଲ, ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ କହିଥିଲେ ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ ଜଣେ ଜଣେ ବିଜୟୀ। ପାଠ ପଢା ସହିତ ସମ୍ପର୍କିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠତ୍ଵ ଅର୍ଜନ କରିବାକୁ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଜିଲ୍ଲା ସ୍କୁଲ୍, ଯାଜପୁର ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧ, ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ସି.ଆର.ସି.ସି, ଜିଲ୍ଲା ସ୍କୁଲ୍, ଯାଜପୁରର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଯୋଗଦେଇ ବହୁ ମାତ୍ରାରେ  ସହଯୋଗ କରିଥିଲେ। ଦ୍ଵିତୀୟ ଅଧିବେଶନରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ ଯୋଗଦେଇ ଉପସ୍ଥିତ ସମସ୍ତ ପିଲାମାନଙ୍କୁ ଆଗକୁ ବଢିବାର ପ୍ରେରଣା ଦେବା ସହିତ କିପରି ଏକାଠି ମିଶି କାମ କଲେ ଆମେ ଶୀଘ୍ର ସଫଳତା ପାଇପାରିବା ସେ ବିଷୟରେ ଏକ ଉଦାହରଣ ମାଧ୍ୟମରେ କହିଥିଲେ। ପିଲାମାନଙ୍କୁ ଉତ୍ସାହିତ କରି କହିଥିଲେ ଏହି ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ପିଲା ହୁଏତ ସେଇଠି ରହିଯାଇପାରେ କିନ୍ତୁ ପରାଜିତ ହୋଇଥିବା ପିଲା ବହୁତ ଆଗକୁ ଯିବାର ସୁଯୋଗ ପାଇଥାଏ ଏବଂ ବହୁତ କିଛି ଶିଖିବାକୁ ପାଇଥାଏ ଯାହା ସେମାନଙ୍କୁ ଆଗକୁ ଯିବାକୁ ପ୍ରେରଣା ଦେଇଥାଏ।

ଚଳିତ ବର୍ଷ ଏହି ଶିଶୁ ମହୋତ୍ସବ ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟର ୩୫୦ ଜଣ ପ୍ରତିଯୋଗୀ, ଯେଉଁମାନେ ପ୍ରଥମେ କ୍ଲଷ୍ଟର,ପରେ ବ୍ଲକ ସ୍ତରରେ ମନୋନୀତ ହୋଇ ଆଜି ଜିଲ୍ଲା ସ୍ତରରେ ଭାଗ ନେଇଛନ୍ତି।ଏଠାରେ ଉନ୍ନୀତ କୃତୀ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ଏହି ଅବସରରେ ସୁରଭି ଅନ୍ତର୍ଗତ ତର୍କ, ପ୍ରବନ୍ଧ,କୁଇଜ୍,ସୃଜନାତ୍ମକ ଲେଖନୀ, ଚିତ୍ରାଙ୍କନ,  ଦେଶାତ୍ମକବୋଧ ସଙ୍ଗୀତ, ଓଡ଼ିଆ ବକ୍ତୃତା, ଓଡ଼ିଆ ହସ୍ତାକ୍ଷର ଓ ଶୃତ ଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ (ଓଡ଼ିଶାର ଲୋକ  ନୃତ୍ୟ) ମଧ୍ୟାହ୍ନ ଭୋଜନର ଚିତ୍ରକଳା ଓ ଶିଳ୍ପ କଳା ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ୮୭ ଜଣଙ୍କୁ   କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *