ସୁରଭି କାର୍ଯ୍ୟକ୍ରମରେ ଅନଭିଜ୍ଞ ବିଚାରକ — ଜିଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବକ

କେନ୍ଦ୍ରାପଡ଼ା, ୦୫/୧୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅଧିନ କଂସାର -ସାହାସପୁର ଉଚ୍ଚ ବିଦ୍ୟାଳୟରେ ନିକଟରେ ଅନୁଷ୍ଠିତ ହୋଇଥିବା ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମରେ ଅନଭିଜ୍ଞ ବିଚାରକ ମଣ୍ଡଳୀଙ୍କୁ ସାମିଲ କରାଯାଇଥିବା ନେଇ କେତେକ ଅଭିଭାବକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଭାବକମାନେ କହିଛନ୍ତି ଏହି କାର୍ଯ୍ୟକ୍ରମରେ ସରକାରୀ ମାର୍ଗଦର୍ଶିକା ଉଲଂଘନ କରାଯାଇଛି । ବିଚାରକ ମଣ୍ଡଳୀ ନିର୍ଦ୍ଧିଷ୍ଟ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିଛନ୍ତି । ମାର୍ଗଦର୍ଶିକା ଅନୁଯାଇ ନୃତ୍ୟରେ ବାର୍ତା, ପ୍ରଚାର ଓ ପ୍ଲାକାର୍ଡର ବ୍ୟବହାର କରିବାକୁ ବାରଣ କରାଯାଇଥିବା ବେଳେ ଏଥିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ ସେହି ନିୟମକୁ ଉଲଂଘନ କରିଛନ୍ତି । ଦଳଗତ ନୃତ୍ୟରେ ମଂଚରେ ୬ଜଣ ନୃତ୍ୟ ପ୍ରଦର୍ଶନ କରିବା ଓ ଜଣେ ଆଙ୍କରିଂ କରିବା ନିୟମ ରହିଥିବା ବେଳେ ୭ଜଣଙ୍କୁ ନୃତ୍ୟ କରିବାର ଦେଖାଯାଇଥିଲା । ପ୍ରଥମ ହୋଇଥିବା ଦଳର ନାମ ଘୋଷଣା ପୂର୍ବରୁ ବିଚାରକ ମଣ୍ଡଳୀଙ୍କୁ ସେହି ଦଳର ଛାତ୍ରାଭିଭାବକମାନେ ନିଜ ଆଡକୁ ଆକର୍ଷିତ କରିଥିଲେ । ମଣ୍ଡଳ ସ୍ତରୀୟ ସୁରଭି ପ୍ରତିବର୍ଷ ସ୍ଥାନ ପରିବର୍ତନ ହେବା ନେଇ ନିୟମ ରହିଥିବା ବେଳେ ଦୁଇବର୍ଷ ହେବ ସେହି ଗୋଟିଏ ବିଦ୍ୟାଳୟରେ କରାଯାଉଛି । ଏହାଦ୍ୱାରା ଶିଶୁମାନଙ୍କ ମାନସିକତା ଉପରେ ପ୍ରଭାବ ପଡୁଛି । ବିଚାରକମଣ୍ଡଳୀ ଅନ୍ୟ ବ୍ଲକରୁ ଆସିବାର ନିୟମ ରହିଥିବା ବେଳେ ଏହି ବ୍ଲକର ବିମଳ ପରିଡା ଓ କଳାକାର ପଣ୍ଡାଙ୍କୁ ବିଚାରକ ଭାବେ ରଖାଯାଇଥିଲା । ଯାହା ଆଇନ ବିରୋଧୀ କାର୍ଯ୍ୟ ବୋଲି ଦିବାକର ବେହେରା, ଦିଲ୍ଲିପ ନାୟକ, କବିତା ବେହେରା, ଭାଷ୍କର ସାମଲ, ସର୍ବେଶ୍ୱର ସାମଲ ପ୍ରମୁଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀମାନେ ଏହାର ନକଲ ଜିଲା ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ, କେନ୍ଦ୍ରାପଡା ବିଧାୟକଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *