ଗୁରୁ ଦିବସରେ ସମ୍ବଲପୁର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ‘ରିସି’ ଭବନର ଭିତ୍ତିପ୍ରସ୍ତର ସ୍ଥାପନ

ସମ୍ବଲପୁର ହେବସ୍କିଲ୍ ଲ୍ୟାବ୍’, ଗାଁ ଗାଁରେ  ତିଆରି ହେବେ କଣ୍ଟେଣ୍ଟ କ୍ରିଏଟରଧର୍ମେନ୍ଦ୍ର ପ୍ରଧାନ

• ନୂତନ ଯୁଗୋପଯୋଗୀ ପାଠ୍ୟକ୍ରମ “ସେଲ୍ପ-ହେଲଥ କେୟାର ଆଣ୍ଡ୍ ଓ୍ୱେଲନେସ” ଏବଂ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ “ଏଆଇ ଟୁଲ୍ସ ଫର୍ କୋଲାବରେଟିଭ୍ ଲର୍ଣ୍ଣିଂ” ଶୁଭାରମ୍ଭ
• ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆରମ୍ଭରେ ଅତ୍ୟନ୍ତ କଠିନ ପରିସ୍ଥିତି ମଧ୍ୟରେ ଗତି କରୁଥିଲା, କେବଳ ଗୃହ ନିର୍ମାଣ କରି ଏହାକୁ ଛାଡ଼ି ଦିଆଯାଇଥିଲା
• ଏହା ଦୃଷ୍ଟିଗୋଚର ହେବା ପରେ ପିଏମ ଉଷା ଯୋଜନାରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି
• ଦିନେ ଜିରୋ ଆଡମିଶନରୁ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀ ସଂଖ୍ୟା ୪୦ ହଜାରରେ ପହଞ୍ଚିଛ
• ଓଡ଼ିଶାର ୧ କୋଟି ‘ଅମୃତ ପିଢ଼ି’ଙ୍କୁ ‘ନିଯୁକ୍ତି ଦାତା’ ଭାବେ ଗଢ଼ିତୋଳିବା ଲକ୍ଷ୍ୟ
• ଡିଗ୍ରୀ ଓ ନିଯୁକ୍ତି ଯୋଗ୍ୟତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ପ୍ରୟାସ କରିବା
• ସୋସିଆଲ୍ ମିଡିଆ ମାଧ୍ୟମରେ ନିଜ ନିଜ ଗାଁର ସଂସ୍କୃତି, ଜୀବନଶୈଳୀ, ପରମ୍ପରାକୁ ଲୋକଲୋଚନକୁ ଆଣିବା

ସମ୍ବଲପୁର, ୦୫/୦୯/୨୦୨୬ (ଓଡ଼ିଶା ସମାଚାର)- ‘ଗୁରୁ ଦିବସ’ ଅବସରରେ ସମ୍ବଲପୁର ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) ପରିସରରେ ରିସି (ରେସିଡେନ୍ସିଆଲ ଇଣ୍ଟର୍ନ୍ନସିପ ଏବଂ ସ୍କିଲ୍ ହବ୍ ଫର୍ ଇଣ୍ଡଷ୍ଟ୍ରି) ଭବନର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ଯୁବପିଢ଼ିଙ୍କ ପାଇଁ ନୂତନ ଯୁଗୋପଯୋଗୀ ପାଠ୍ୟକ୍ରମ “ସେଲ୍ପ-ହେଲଥ କେୟାର ଆଣ୍ଡ୍ ଓ୍ୱେଲନେସ” ଏବଂ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ “ଏଆଇ ଟୁଲ୍ସ ଫର୍ କୋଲାବରେଟିଭ୍ ଲର୍ଣ୍ଣିଂ” ର ଶୁଭାରମ୍ଭ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ଆମ ଶିକ୍ଷା ବ୍ୟବସ୍ଥାରେ ‘ଡିଗ୍ରୀ ଏବଂ ନିଯୁକ୍ତି ଯୋଗ୍ୟତା’ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସବୁଠାରୁ ବଡ଼ ଆହ୍ୱାନ। ଇଂରେଜ ଶାସନ ସମୟରୁ “ଡିଗ୍ରୀ ହିଁ ସବୁକିଛି” – ଏହି ଯେଉଁ ଭ୍ରମାତ୍ମକ ମାନସିକତା ଚାଲିଆସିଛି, ଆମକୁ ଏଥିରୁ ବାହାରିବାକୁ ପଡ଼ିବ। କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବ୍ୟାବହାରିକ ପଢ଼ା ଓ ପ୍ରାକ୍ଟିକାଲ୍ ଦକ୍ଷତା ବଢ଼ାଇଲେ ହିଁ ଯୁବପିଢ଼ି ଯୋଗ୍ୟ ଓ ନିଯୁକ୍ତିକ୍ଷମ ହୋଇପାରିବେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତଙ୍କ ପାଇଁ କାର୍ଯ୍ୟଦକ୍ଷତା ଆହ୍ୱାନ ଏବଂ ନୂତନ ଜାତୀୟ ଶିକ୍ଷା ନୀତିରେ ଶିକ୍ଷା ସହ ଦକ୍ଷତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଆଜି ଶିଳାନ୍ୟାସ ହୋଇଥିବା ‘ରିସି’ ପ୍ରକଳ୍ପରେ ଛାତ୍ରଛାତ୍ରୀମାନେ ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ପ୍ରାକ୍ଟିକାଲ୍ ପ୍ରଶିକ୍ଷଣ ପାଇ ସ୍ୱାବଲମ୍ବୀ ହୋଇପାରିବେ ।

ବିଶ୍ୱର ବର୍ତ୍ତମାନର ଅସ୍ଥିର ପରିସ୍ଥିତି ଓ ଗ୍ଲୋବାଲ୍ ସପ୍ଲାଏ ଚେନ୍ ପ୍ରଭାବିତ ହେବା ଯୋଗୁଁ ଭାରତରେ ନିଯୁକ୍ତି ଉପରେ ଏହାର ପ୍ରଭାବ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ଜବ୍ କ୍ରିଏଟର୍ ହେବାକୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶାରେ ପ୍ରାୟ ୧ କୋଟି ଯୁବକଯୁବତୀ, ଯାହା ରାଜ୍ୟ ଜନସଂଖ୍ୟାର ଏକ ଚତୁର୍ଥାଂଶ ଅଛନ୍ତି, ଯେଉଁମାନେ କି ଏକବିଂଶ ଶତାବ୍ଦୀର ‘ଅମୃତ ପିଢ଼ି’ । ଆଗାମୀ ୧୦୦ ବର୍ଷର ଓଡ଼ିଶାର ଭବିଷ୍ୟତ ଏହି ପିଢ଼ିଙ୍କ କାନ୍ଧରେ ରହିଛି । ଆଜିର ଯୁବସମାଜ ୨୩ ବର୍ଷ ବୟସରେ ପିଏଚଡି ହାସଲ କରିପାରୁଛନ୍ତି। ‘ରିସି’ ପ୍ରକଳ୍ପ ଏହି ଅମୃତ ପିଢ଼ିଙ୍କୁ କାର୍ଯ୍ୟଦକ୍ଷ ଓ ଆତ୍ମନିର୍ଭର କରି ଗଢ଼ିତୋଳିବାରେ ଏକ ଯୁଗାନ୍ତକାରୀ ସେତୁ ଭାବେ କାର୍ଯ୍ୟ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସାଇବର କ୍ରାଇମ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆମ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି । ମେସିନ୍ ଓ ମଣିଷ ଭିତରେ ଥିବା କାର୍ଯ୍ୟଦକ୍ଷତାର ବ୍ୟବଧାନକୁ ପୂରଣ କରିବାକୁ ହେଲେ ଆମକୁ ନବୋନ୍ମେଷୀ ହେବାକୁ ପଡ଼ିବ । ସନ୍ଥକବି ଭୀମଭୋଇଙ୍କ କବିତା ବିଶ୍ୱକୁ ବଞ୍ଚିବାର ରାସ୍ତା ଦେଖାଉଥିଲା, ସେହିପରି ଆମ ଜ୍ଞାନ ଓ ବ୍ୟାବହାରିକ ଦକ୍ଷତା ଦ୍ୱାରା ହିଁ ସମାଜର ବିକାଶ ସମ୍ଭବ ।

୨୦୧୫ରେ ସମ୍ବଲପୁରରେ ସ୍ଥାପିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆରମ୍ଭର ୮ ବର୍ଷ ଅତ୍ୟନ୍ତ କଠିନ ପରିସ୍ଥିତି ମଧ୍ୟରେ ଗତି କରୁଥିଲା। କେବଳ ଗୃହ ନିର୍ମାଣ କରି ଏହାକୁ ଛାଡ଼ି ଦିଆଯାଇଥିଲା। କିନ୍ତୁ ଏହା ନଜରକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପିଏମ ଉଷା ଯୋଜନା ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଦିନେ ଶୂନ୍ୟ ଆଡମିଶନରୁ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀ ସଂଖ୍ୟା ୪୦ ହଜାରରେ ପହଞ୍ଚିଛି।

ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି ଯେ, ସମ୍ବଲପୁର ଜିଲ୍ଲାକୁ ଏକ ସ୍କିଲ୍ ପ୍ରୟୋଗଶାଳା ଭାବେ ଗଢ଼ି ତୋଳାଯିବ । ସ୍କୁଲ୍ କିମ୍ବା କଲେଜ୍ ଯାଇପାରୁନଥିବା ଗ୍ରାମୀଣ ଯୁବକଯୁବତୀଙ୍କୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ସ୍ୱଳ୍ପମିଆଦୀ ଉପଯୋଗୀ କୋର୍ସ ଦିଆଯିବ, ଯାହା ଦ୍ୱାରା ସେମାନଙ୍କର ମାସିକ ରୋଜଗାର କ୍ଷମତା ବୃଦ୍ଧି ପାଇବ । ଆଗାମୀ କିଛି ବର୍ଷ ମଧ୍ୟରେ ଅଡିଓ-ଭିଜୁଆଲ୍ ଲ୍ୟାବ୍ ପ୍ରତିଷ୍ଠା କରାଯାଇ ପ୍ରାୟ ୧୨୫୦ ଜଣ ତାଲିମପ୍ରାପ୍ତ କଣ୍ଟେଣ୍ଟ କ୍ରିଏଟର ତଥା ଇନ୍ଫଏନ୍ସର ତିଆରି କରାଯିବ । ଏହି ପ୍ରଶିକ୍ଷିତ ଯୁବପିଢ଼ି ସୋସିଆଲ୍ ମିଡିଆ ମାଧ୍ୟମରେ ନିଜ ନିଜ ଗାଁର ସଂସ୍କୃତି, ଜୀବନଶୈଳୀ, ପରମ୍ପରା, ପ୍ରାକୃତିକ ସୌନ୍ଦର୍ଯ୍ୟ, ମନ୍ଦିର ଓ ଗ୍ରାମୀଣ ଅର୍ଥନୀତିକୁ ସମଗ୍ର ବିଶ୍ୱ ସାମ୍ନାକୁ ଆଣି ଏକ ନୂଆ ପରିଚୟ ଦେବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *