ଜିଲା ସ୍ତରୀୟ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ

କେନ୍ଦ୍ରାପଡ଼ା,୨୬/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଚେସ ଆସୋସିଏସନ ଆନୁକୂଲ୍ୟରେ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଚେସ ସଚେତନତା ଓ ପ୍ରଶିକ୍ଷଣ ଶିବିର ଶନିବାର ଉଦଘାଟିିତ ହୋଇଯାଇଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଓଡିଶାର ସର୍ବକନିଷ୍ଠ ଆନ୍ତର୍ଜାତୀୟ ଚେସ ମାଷ୍ଟର ରାକେଶ ଜେନା, ଜାତୀୟ ପ୍ରଶିକ୍ଷକ ଏସ. ସତ୍ୟକାମ, ଆନ୍ତର୍ଜାତୀୟ ଆରବିଟର ତଥା ଜିଲା ଚେସ ଆସୋସିଏସନ୍ ର ସମ୍ପାଦକ ଭବେଶ ମହାନ୍ତି, ଅଧ୍ୟାପିକା ଡ. ପଦ୍ମଜା କବି ଶତପଥୀ, ଜିଲା ଚେସ ଆସୋସିଏସନର କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂ, ଉପସଭାପତି ଧରଣୀଧର ସେଠୀ ଓ ଲଲାଟକେଶରୀ ସାମଲ, କାର୍ଯ୍ୟକାରୀ କମିଟି ସଦସ୍ୟ ହିମାଂଶୁ ଶେଖର ନାୟକ, ପ୍ରତାପ ଚନ୍ଦ୍ର ମହାନ୍ତି, ନେହେରୁ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଶିବିରରେ କେନ୍ଦ୍ରାପଡା ଜିଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ପ୍ରଶିକ୍ଷଣ ଶିବିରରେ ଜାତୀୟ ପ୍ରଶିକ୍ଷକ ଏସ. ସତ୍ୟକାମଙ୍କ ସହିତ ସର୍ବପରିଚିତ ଅନ୍ତର୍ଜାତୀୟ ମାଷ୍ଟର ରାକେଶ କୁମାର ଜେନା ଯୋଗଦେଇ ଚେସ୍ ଖେଳାଳୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସେହିପରି ଉଦଯାପନୀ ଉତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ସାହୁ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ବହୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବରମାସ ୨ ଓ ୩ତାରିଖ ଦୁଇଦିନ ଧରି ତୁଳସୀ ମହିଳା ମହାବିଦ୍ୟାଳୟରେ ଜିଲା ସ୍ତରୀୟ ଚତୁର୍ଥ ଡା. ବୈଷ୍ଣବ ପରିଡା ମେମୋରିଆଲ ଚେସ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *