ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଗଣକବି ଜୟନ୍ତୀର ତୃତୀୟ ସନ୍ଧ୍ୟା ର ସାହିତ୍ୟ ସଭା
ମାହାଙ୍ଗା,୨୦/୧୦/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଗଣକବି ଜୟନ୍ତୀର ତୃତୀୟ ସନ୍ଧ୍ୟାର ସାହିତ୍ୟ ସଭା କୁଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟକ ପଦ୍ମଲୋଚନ ପଣ୍ଡା କହିଲେ ସାହିତ୍ୟରେ ସ୍ପଷ୍ଟବାଦୀତା ଏବଂ ନିର୍ଭିକତା ସ୍ରଷ୍ଟା ଙ୍କୁ କାଳଜୟୀ କରିଥାଏ । ଗଣକବି ବୈଷ୍ଣବ ପାଣି ଥିଲେ ଜଣେ ଦୁରଦୃଷ୍ଟି ସମ୍ପନ୍ନ ନାଟ୍ୟକାର । ପରାଧିନ ସମାଜରେ ନବ ଜାଗରଣ ସୃଷ୍ଟି କରିବାରେ ସେ ଥିଲେ ଆଗ୍ରଗଣ୍ୟ ଲେଖକ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ନିଖିଳେଶ ପଦ ମହାନ୍ତି କହିଲେ ବୈଷ୍ଣବ ପାଣିଙ୍କ ନାଟକର ପ୍ରତ୍ୟେକ ଚରିତ୍ର ସାଧାରଣ ତେଲଲୁଣ ଦୁନିଆଁର ପ୍ରତିନିଧିତ୍ୱ କରୁଥିବାରୁ,ଶହେ ବର୍ଷ ପରେ ମଧ୍ୟ ତାଙ୍କ ଗୀତିନାଟ୍ୟକୁ ହଜାର ହଜାର ଦର୍ଶକ ରାତି ଅନିଦ୍ରା ହୋଇ ଦେଖୁଛନ୍ତି । ଉତ୍ସବରେ ସମ୍ମାନିତ ଅତିଥିଭାବେ ପାଣି ସାହିତ୍ୟର ଗବେଷକ ଅଧ୍ୟାପକ ଡକ୍ଟର ଅଜିତ କୁମାର ମହାପାତ୍ର ଯୋଗଦେଇ କହିଲେ, ସରଳ ତରଳ ସାବଲୀଳ ଭାଷାରେ ନାଟକ, ଭଜନ, ଜଣାଣ ଓ ଆତ୍ମକାହାଣୀ ଲେଖିଥିବାରୁ ବୈଷ୍ଣବ ପାଣି ଲୋକଙ୍କ ହୃଦୟ ଜୟ କରିପାରିଛନ୍ତି । ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ କହିଲେ କେବଳ ଜୟନ୍ତୀ ପାଳନ କଲେ ହେବ ନାହିଁ । କବିଙ୍କ ଭଳି ସାହସୀ ଓ ସ୍ୱାଭିମାନୀ ହେବାକୁ ସେ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । କଟକ ସଦର ବିଧାୟକ ଇଞ୍ଜିନିଅର ପ୍ରକାଶ ସେଠୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଏବଂ ଜାତିପ୍ରଥା ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରିଥିବା ବୈଷ୍ଣବ ପାଣି ଚିର ନମସ୍ୟ ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ଯୁବନେତା ବୁଲୁ ଚକ୍ରବର୍ତ୍ତୀ ପାଣି କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପନଗ ଭୂଷଣ ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ । ବୈଷ୍ଣବ ପାଣି କ୍ଲବ କୋଠପଦା ପକ୍ଷରୁ ଗୀତିନାଟ୍ୟ ପ୍ରଦର୍ଶିତ ହୋଇଥିଲା ।