ବ୍ରହ୍ମପୁର,୦୧/୦୭/୨୦୨୫(ଓଡ଼ିଶା ସମାଚାର)- ବ୍ରହ୍ମପୁର ସହରରେ ଅପମିଶି୍ରତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକି୍ର ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଆକ୍ସନ୍ ମୁଡ୍ କୁ ଆସିଛି ଖାଦ୍ୟ ସୁରକ୍ଷା ବିଭାଗ । ସହରର କେତେକ ସ୍ଥାନରେ ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଚଢଉ ହୋଇଥିବା ସୂଚନା ମିଳିଛି । ବଡ଼ ବଜାର ଥାନା ପିଚପିଚାନଗର ଏକ ଘରେ ଚାଲିଥିବା ଟାମୋଟ ସସ୍ ପ୍ରସ୍ତୁତି କମ୍ପାନୀ ଉପରେ ପୁଲିସ୍ ଓ ଖାଦ୍ୟ ନିରାପତା ଟିମ୍ ପକ୍ଷରୁ ଚଢଉ ହୋଇଛି ।
ଦୀର୍ଘ ୧୦ ବର୍ଷ ଧରି ଏଠାରେ ସସ୍ ପ୍ରସ୍ତୁତି ଚାଲିଥିବା କୁହାଯାଉଥିବା ବେଳେ କମ୍ପାନୀ ପକ୍ଷରୁ ସମସ୍ତ କାଗଜ ପତ୍ର ଠିକ୍ ଠାକ୍ ଥିବା କୁହାଯାଇଛି । ଅସ୍ୱାସ୍ଥ୍ୟକର ପରିବେଶରେ ସସ୍ ପ୍ରସ୍ତୁତି ହେଉଥିବା, ବେଆଇନ୍ କଲର ମିଶୁଥିବା ନେଇ ବିଏମସିର ଖାଦ୍ୟ ସୁରକ୍ଷା ଅଧିକାରୀ ଲିଜା ମିଶ୍ର କହିଛନ୍ତି । ଟମାଟୋ ସସ୍ ଏବଂ ଅନ୍ୟନ୍ୟ ଖାଦ୍ୟ ପଦାର୍ଥରେ
ମିଶୁଥିବା ବିଭିନ୍ନ ସାମଗ୍ରୀର ନମୂନା ସଂଗ୍ରହ କରାଯାଇଛି । ତାହାକୁ ଟେଷ୍ଟିଂ ପାଇଁ ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଫୁଡ୍ ସେପ୍ଟିଂ ଲାବ୍କୁ ପଠାଯିବ ବୋଲି ଶ୍ରୀମତି ମିଶ୍ର କହିଛନ୍ତି । ଉକ୍ତ ସସ୍ ଗୁଡିକ ସହରର ଫାଷ୍ଟଫୁଡ୍ ଦୋକାନ, ଜଳଖିଆ ଦୋକାନ ଗୁଡିକରେ ବହୁଳ ମାତ୍ରାରେ ବ୍ୟବହାର ହେଉଥିବା କୁହାଯାଉଛି । ଏଠାରେ
ଟମାଟୋ, ଚିଲି, ସୋୟା, ଭିନେଗାର ସୋସ୍ ଆଦି ପ୍ରସ୍ତୁତ ହେଉଛି । ଚାରିଆଡେ ପେଟି ପେଟି ଟମାଟୋ ସସ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମହଜୁଦ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କମ୍ପାନୀର ମାଲିକ କାଗଜପତ୍ର ସବୁ ଠିକ୍ ଠାକ୍ ଥିବା ଏବଂ ଆଇନ୍ ଅନୁଯାୟୀ କମ୍ପାନୀ ଚାଲିଥିବା କହିଛନ୍ତି । ତେବେ ଏହି ଚଢଉ ପରେ ସହରର ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି ।
