‘ପ୍ରଶିକ୍ଷଣ, ଭିତ୍ତିଭୂମି ବିକାଶ ଓ ସଚେତନତା ଉପରେ ଗୁରୁତ୍ୱ ଦିଅ’: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, ୨୦/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା କ୍ଷେତ୍ରରେ ପ୍ରଶିକ୍ଷଣ, ଭିତ୍ତିଭୂମି ବିକାଶ ଓ ସଚେତନତା ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି । ଆଜି ପୂର୍ବାହ୍ନରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଓ ଅପରାହ୍ନରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରି ଉପରୋକ୍ତ ମର୍ମରେ ମତ ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ମଲ୍ଲିକ ମତ୍ସ୍ୟଚାଷ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯକ୍ରମ ଯଥା: ବାୟୋ ଫ୍ଲକ୍, କେଜ କଳଚର୍, ମଧୁର ଜଳ ମାଛଚାଷ, ଖାରି ଜଳ ଓ ଲୁଣି ଜଳ ମାଛଚାଷ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀମାନଙ୍କୂ ଉଚିତ ସମୟରେ ସହାୟତା ପ୍ରଦାନ ସାଙ୍ଗକୁ ସେମାନଙ୍କ ଉନ୍ନତି ସହିତ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଓ କେନ୍ଦ୍ରୀୟ ସହଭାଗିତାରେ ଚାଲିଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନା ଅନ୍ତର୍ଭୁକ୍ତ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟଗୁଡ଼ିକ ଉପରେ ମନ୍ତ୍ରୀ ଅବଗତ ହୋଇଥିଲେ । ମତ୍ସ୍ୟ କ୍ଷେତ୍ର ସହ ଜଡ଼ିତ ରାଜ୍ୟର ସମସ୍ତ ହିତାଧିକାରୀମାନଙ୍କ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ସୁଚାରୁ ରୂପେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ସମୀକ୍ଷା ବୈଠକରେ ବିଭିନ୍ନ ସୂଚନା ଦେଇ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ଅନୁରୂପ ଭାବରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର କାର୍ଯ୍ୟାବଳୀ ନେଇ ସମୀକ୍ଷା କରିଥିଲେ । ପ୍ରାଣୀ ପ୍ରଜନନ, ଟୀକାକରଣ, ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ୟୁନିଟ, ପ୍ରାଣୀଚିକିତ୍ସାସେବାକୁ ସୁଦୃଢ଼ କରିବା ନିମନ୍ତେ ଉଲ୍ଲେଖ କରିବା ସହିତ ସେ ପ୍ରାଣୀକଲ୍ୟାଣ ପାଇଁ ଆନିମାଲ୍ସ ହେଲ୍ପ ଲାଇନର ନିରନ୍ତର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ କହିଥିଲେ । ପ୍ରାଣୀପାଳନ ସମ୍ବନ୍ଧୀୟ ଯୋଜନାଗୁଡ଼ିକର ସଫଳ ରୂପାୟନପୂର୍ବକ ଗ୍ରାମାଞ୍ଚଳ ଲୋକଙ୍କ ଜୀବିକାର୍ଜନ ଓ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ଓ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍ଙ୍କ ସମେତ ଉଭୟ ନିର୍ଦ୍ଦେଶାଳୟର ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।
-0-
ସୂର୍ଯ୍ୟ ମିଶ୍ର, ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ