କେନ୍ଦ୍ରାପଡ଼ା,୦୪/୦୮/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ନଦୀନାଳ ଘେରା ଦଶିପୁର ଗ୍ରାମପଂଚାୟତରେ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଖୋଲିବାକୁ ପଂଚାୟତବାସୀଙ୍କ ପକ୍ଷରୁ ଜିଲା ସଦର ମହକୁମାସ୍ଥିତ ପୌରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ଜିଲା ସ୍ତରୀୟ ଜନ ଶୁଣାଣି ଶିବିରରେ ଦାବି କରାଯାଇଛି । ପଂଚାୟତବାସୀ ଜିଲାପାଳଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଳି ବ୍ଲକର ଦଶିପୁର ପଂଚାୟତ ହେଉଛି ଏକ ନଦୀନାଳ ଘେରା ପଂଚାୟତ ।
ପୂର୍ବରୁ ସେମାନେ ଦେମାଳ ଗ୍ରାମପଂଚାୟତ ଅଧିନରେ ଥିବାରୁ ଦେମାଳ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ରହିଥିଲେ । ସେତେବେଳେ ସେମାନେ ଦେମାଳ ସମିତି ମଣ୍ଡିରେ ଧାନ ବିକିବାର ସୁବିଧା ପାଉନଥିବା ବେଳେ ଏବେ ମଧ୍ୟ ସେମାନେ ଏହି ସୁଯୋଗରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । କାରଣ ନଦୀ ନାଳ ପାରି ହୋଇ ସେମାନଙ୍କ ଧାନ ଦେମାଳ ସମବାୟ ସମିତିକୁ ଆଣି ବିକ୍ରୀ କରିବା ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି ।
ସେମାନଙ୍କ ଧାନ ବିକ୍ରୀ ହୋଇପାରୁନଥିବାରୁ ବାଧ୍ୟହୋଇ ସେମାନେ ବ୍ୟବସାୟୀଙ୍କୁ ଅଦର ଦରରେ ଧାନ ବିକ୍ରୀ କରି ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ଚଳିତ ବର୍ଷ ଦଶିପୁର ପଂଚାୟତରେ ଚାଷୀମାନଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଦଶିପୁରରେ ଖୋଲାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ବିକେକାନନ୍ଦ ଦାଶ, ସରପଂଚ ପ୍ରଦୁ୍ୟତ ମହାନ୍ତି, କେଶବ ମଳିକ, ଅକ୍ଷୟ ସାହୁ, ତ୍ରିଲୋଚନ ମଳିକ, ପ୍ରମୋଦ ମଳିକ, କିଶୋର ମଳିକ, ଶାନ୍ତନୁ ମଳିକ, ସତ୍ୟବ୍ରତ ବରଜ, ରଞ୍ଜନ ଦାଶ, ସରୋଜ ମଳିକ ପ୍ରମୁଖ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ଦାବି କରିଛନ୍ତି ।
