ପାଟକୁରା,୧୩/୦୮/୨୦୨୫(ଓଡିଶା ସମାଚାର)- କୃଷକମାନେ ସେବାସମବାୟ ସମିତି ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜିକରଣ କରିପାରୁନାହାନ୍ତି । ଫଳରେ ସେମାନେ ବାଧ୍ୟ ହୋଇ ସ୍ଥାନୀୟ ବେପାରୀ ମାନଙ୍କୁ ଅଳ୍ପ ମୂଲ୍ୟରେ ଅଭାବୀ ଧାନ ବିକ୍ରି କରିବେ । ସରକାର ଦେଉଥିବା ସବସିଡି ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ବିକ୍ରି କରିନପାରି ବେପାରୀଙ୍କୁ ୨୦୦୦ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେବେ ।
ନାମ ପଞ୍ଜିକରଣ ପାଇଁ ସରକାରୀ କାଗଜ ପାତ୍ର ଅସୁବିଧା ସୃଷ୍ଟି କରୁଛି ବୋଲି ଜଣା ଯାଇଛି । ଜମି ପଟ୍ଟାରେ ବାପ, ଅଜା, ଅଣ ଅଜାଙ୍କ ନାମ ଥିବାରୁ ଉତ୍ତରାଧିକାରୀ ମାନେ ଚାଷୀ ଭାବେ ନାମ ପଞ୍ଜି କରଣ କରିବାରେ ଜମି ପଟାରେ ସେମାନଙ୍କ ନାମ ନଥିବାରୁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ଉତ୍ତରାଧିକାରୀ ପ୍ରମାଣ ପତ୍ର ରାଜସ୍ୱ ନିରୀକ୍ଷକ ଦେଲେ ସେମାନେ ନାମ ପଞ୍ଜିକରଣ କରିପାରିବେ କିନ୍ତୁ ଏସବୁ ମିଳିବା ସହଜ କାମ ନୁହେଁ । ଏବଂ ଏହା ସମୟ ସାପେକ୍ଷ ।
ଏହି ଖବର ମିଳିବା ପରେ ପାଟକୁରା ଭାଜପା ନେତା ତଥା ରାଜ୍ୟ ଭାଜପା ମୁଖପାତ୍ର ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗରଦପୁର ବ୍ଲକର ବିଭିନ୍ନ ସେବା ସମବାୟ ସମିତିରେ ପହଂଚି ସେଠାରେ ଥିବା ଚାଷୀ ମାନଙ୍କୁ ଦେଖାକରି ସମସ୍ୟା ବିଷୟରେ ଅବଗତ ହୋଇଥିଲେ । ତାଙ୍କ ସହିତ ପ୍ରତିନିଧି ମଣ୍ଡଳୀ ରେ ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀଧର ପ୍ରସାଦ ପ୍ରଧାନ,ଜିଲ୍ଲା ମହିଳା ମୋର୍ଚା ସଭାନେତ୍ରୀ ପ୍ରିୟ ଦର୍ଶିନୀ ନନ୍ଦ,ଜିଲ୍ଲା କୃଷକ ମୋର୍ଚା ସାଧାରଣ ସମ୍ପାଦକ ବିଚିତ୍ର ପ୍ରଧାନ,ଜିଲ୍ଲା କୃଷକ ମୋର୍ଚା ଉପସଭାପତି ଶ୍ରୀକାନ୍ତ ସେନାପତି, ଭାଜପା କାର୍ୟ୍ୟ କାରିଣୀ ସଭ୍ୟ ବିଜୟ ନାୟକ ଓ ସମବାୟବିତ୍ ତଥା ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀ ପ୍ରମୁଖ ସମିତି କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଥିଲେ ।
ସମିତିରେ ବୈଠକ କରି ଚାଷୀମାନଙ୍କୁ ବୁଝାଇ ନାମ ପଞ୍ଜି କରଣ କରାଇବାକୁ ପ୍ରତିନିଧି ମଣ୍ଡଳୀ ବୁଝାଇଥିଲେ । ଏବାବଦରେ ପ୍ରତିନିଧି ମଣ୍ଡଳୀ ସମବାୟ ସମିତିର ଉପର ଅଧିକାରୀଙ୍କ ସହିତ ଖୁବଶୀଘ୍ର ଆଲୋଚନା କରି ପଞ୍ଜିକରଣ ପାଇଁ ସରଳ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସରକାରଙ୍କ ଯୋଜନାରୁ ଚାଷୀ ମାନେ ସୁଫଳ ପାଇବା ଉଚିତ ବୋଲି ସେମାନେ କହିଥିଲେ । ଭାଜପା ପ୍ରତିନିଧି ମଣ୍ଡଳୀ ଗରଦପୁର ବ୍ଲକର ବେଡାରୀ ସେବା ସମବାୟ ସମିତି, ପାଖଡ଼ ସେବା ସମବାୟ ସମିତି ଓ ଗରଦପୁର ସେବାସମବାୟ ସମିତିରେ ପହଂଚି ସମିତି କର୍ମକର୍ତ୍ତା ଓ ଉପସ୍ଥିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ।
