ଭୁବନେଶ୍ୱର,୨୦/୧୦/୨୦୨୪ (ଓଡ଼ିଶା ସମାଚାର)-ଦିଲ୍ଲୀ ପରେ ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍। ବଡ଼ ଶିଳ୍ପସଂସ୍ଥା ମୁଖିଆଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ତାସହ ୩ ଶହ ନିବେଶକଙ୍କ ଆଗରେ ସଫଳତାର ସହ ରୋଡ୍ ସୋ ବି କଲେ ରାଜ୍ୟ ସରକାର।
ରିଲାଏନ୍ସ, ଟାଟା, ଜେଏସ୍ଡବ୍ଲୁ, ବିର୍ଲା ଗ୍ରୁପ୍, ପାର୍ଲେ ଆଗ୍ରୋ । ଏମିତି ଅନେକ ବଡ଼ ବଡ଼ ଶିଳ୍ପ ସଂସ୍ଥାର ମୁଖିଆ ଓ ସେମାନଙ୍କ ପ୍ରତିନିଧିଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁମ୍ବାଇରେ ୨ ଦିନିଆ ଇନଭେଷ୍ଟର୍ସ ମିଟ୍ ରୋଡ୍ ସୋ ଅବସରରେ ବିସ୍ତୃତ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ଆସନ୍ତାବର୍ଷ ଓଡ଼ିଶାକୁ ୫ ଲକ୍ଷ କୋଟିର ନିବେଶ ଆଣିବାର ଲକ୍ଷ୍ୟ ରହିଛି । ଏଥିପାଇଁ ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ବରରେ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା ମେକ୍-ଇନ୍ ଓଡ଼ିଶା କନକ୍ଲେଭ ୨୦୨୫କୁ ଆସିବାକୁ ସବୁ ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କୁ ଆମନ୍ତ୍ରଣ କରିଛୁ । ଯେହେତୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଭରପୁର ସମ୍ଭାବନା ରହିଛି ଓ ୮.୫ ପ୍ରତିଶତ ବିକାଶ ହାରରେ ରାଜ୍ୟ ଆଗକୁ ଯାଉଛି ତେଣୁ ନିବେଶମାନେ ଆଗ୍ରହ ଦେଖାଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ପ୍ରାକୃତିକ ଖଣିଜ ପଦାର୍ଥ, କୋଷ୍ଟ ଲାଇନ୍ ଓ ବନ୍ଦର ଥିବାରୁ ଓଡ଼ିଶା ଆଗାମୀ ଦିନରେ ଇଣ୍ଡଷ୍ଟ୍ରି ହବ୍ ହେବାକୁ ଯାଉଛି । ଆଇଟି, ଟେକ୍ସଟାଇଲସ୍, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ୍ ଓ କେମିକାଲ୍ସ ଓ ପେଟ୍ରୋକେମିକାଲସ୍ କ୍ଷେତ୍ରକୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି- ମୁମ୍ବାଇ ଠାରେ ଜିଓ ପ୍ଲାଟଫର୍ମ ଲିମିଟେଡ୍ ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ଆଲୋଚନା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୫ରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ପାଇଁ ଆମନ୍ତ୍ରଣ କରିଛି। ରାଜ୍ୟରେ ବିଶେଷ କରି ସବୁଜ ଇନ୍ଧନ, ଯୋଗାଯୋଗ, ମୋବାଇଲ ନେଟୱର୍କ, ସୌର ଶକ୍ତି ଭଳି କ୍ଷେତ୍ରର ଉନ୍ନତିକରଣ ସହିତ ପୁଞ୍ଜି ନିବେଶ ପାଇଁ ଆଗାମୀ ଦିନରେ ବିଶେଷ ଗୁରୁତ୍ଵ ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁଯୋଗ ମଧ୍ୟ ଯୋଗାଇଦିଆଯିବ। ଯଦ୍ୱାରା ଓଡ଼ିଶାର ଆର୍ଥିକ ବିକାଶ ସୁନିଶ୍ଚିତ ହେବା ସହିତ ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ପୂରଣ ହେବ। ମୁମ୍ବାଇର ଇନଭେଷ୍ଟର୍ସ୍ ମିଟରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମାନ ଶ୍ରୀ କୁମାର ମଙ୍ଗଳମ ବିର୍ଲାଙ୍କ ସହ ଫଳଦାୟକ ଆଲୋଚନା ହେଲା। ଓଡ଼ିଶାର ଉନ୍ନତି ଏବଂ ବିକାଶ ପାଇଁ ନୂତନ ସୁଯୋଗ ଏବଂ ଭାଗୀଦାରିର ଆଶା କରୁଛି।