ନିଶାମୁକ୍ତ ଯୁବ – ବିକଶିତ ଭାରତ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୧୦/୧୦/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସାନ୍ଧ୍ୟ ଡିଗ୍ରୀ କଲେଜରେ ମହାବିଦ୍ୟାଳୟର ଏନଏସଏସ୍ ସହ-ୟୁନିଟ୍ ପକ୍ଷରୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ‘ନିଶାମୁକ୍ତ ଯୁବ –ବିକଶିତ ଭାରତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଆଦ୍ୟରଶ୍ମି ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଡା. ସଚ୍ଚିଦାନନ୍ଦ ମିଶ୍ର ମୁଖ୍ୟ ଅତିଥି, ବିରଜା ପ୍ରସାଦ ପତି ସମ୍ମାନିତ ଅତିଥି, ଜାତୀୟ ସେବା ଯୋଜନାର ଜିଲା କାର୍ଯ୍ୟକ୍ରମ ଅଧିକାରିଣୀ ଡ. ପଦ୍ମଜାକବି ଶତପଥୀ, ପୂର୍ବତନ ଡିପିଓ ପ୍ରଦୀପ ରାଉତ ଏବଂ ବରିଷ୍ଠ ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ଉଦ୍ଘାଟନ ପରେ ଜାତୀୟ ସଂଗୀତ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା । ଏହାପରେ ସଭାପତି ଓ ଅତିଥିମାନେ ନିଶା ସେବନର କୁପ୍ରଭାବ ଉପରେ ଆଲୋକପାତ କରିବା ସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ଭାରତ ଗଠନରେ ନିଜର ଯୋଗଦାନ ଦେବାକୁ ଆହ୍ୱାନ ଜଣାଇଥିଲେ । ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ଓ ସାମାଜିକ ସଚେତନତାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅବସରରେ ଏନଏସଏସ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ନିଶାମୁକ୍ତି ସମ୍ପର୍କିତ ପୋଷ୍ଟର ତିଆରି ପ୍ରତିଯୋଗିତା, ରିଲ୍ସ ନିର୍ମାଣ ଏବଂ ନୁକ୍କଡ଼ ନାଟକ ଆୟୋଜନ କରାଯାଇଥିଲା ।

ଏହି ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଶାର କୁପ୍ରଭାବ ବିଷୟରେ ସଚେତନତାର ବାର୍ତା ପ୍ରଚାର କରିଥିଲେ । ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯାଇଥିଲା । ଶେଷରେ ଏନଏସଏସ୍ କାର୍ଯ୍ୟକ୍ରମ ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତିର ବାର୍ତା ପ୍ରସାର କରିବା ସହ ସୁସ୍ଥ, ସଚେତନ ଓ ବିକଶିତ ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା ।

Leave a Reply

Your email address will not be published. Required fields are marked *