ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

କେନ୍ଦ୍ରାପଡ଼ା,୧୯/୧୦/୨୦୨୪ (ଓଡ଼ିଶା ସମାଚାର)-ସ୍ୱେଚ୍ଛାସେବୀ ଅନୁଷ୍ଠାନ ରାଇଡ୍ ପକ୍ଷରୁ ଏକ ତୃଣମୂଳସ୍ତରୀୟ ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନାବାର୍ଡର ଜିଲା ଉନ୍ନୟନ ପରିଚାଳକ ସ୍ମିତା ଏନ୍. ବଡଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓରମାସର ଚିଫ୍ ଏକ୍ଜିକୁ୍ୟଟିଭ୍ ଅଫିସର ନିରୋଜ ଜେନା, ମାର୍ଶାଘାଇ ବ୍ଲକ ମିଶନଶକ୍ତି ବିପିସି ବିକାଶ ମହାନ୍ତି, ମେହେନ୍ଦିନଗର କାନାରା ବ୍ୟାଙ୍କର ଶାଖା ପରିଚାଳକ, ମେହେନ୍ଦିନଗର ଏମବିକେ, ମାର୍ଶାଘାଇ ବିଭିଓ ଡା. ଗୌତମ କାମିଲା, ସିସିସିବିର ସମ୍ପାଦକ ଦୁର୍ଗାମାଧବ ନନ୍ଦ ପ୍ରମୁଖ ଯୋଗଦେଇ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ମହିଳା ଗୋଚାଷୀମାନଙ୍କୁ ବିଭିନ୍ନ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୨୦ରୁ ଉଦ୍ଧ୍ୱର୍ ମହିଳା ଗୋଚାଷୀ ଯୋଗଦେଇ ନାବାର୍ଡ ପକ୍ଷରୁ ସେମାନଙ୍କୁ ପ୍ରଦାନ କରାଯାଇଥିବା ଜୀବିକା ରକ୍ଷା ପ୍ରଶିକ୍ଷଣରୁ ସେମାନଙ୍କୁ ମିଳିଥିବା ସୁଫଳ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଇଡ ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦକ କିଶୋର କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିସହିତ ପ୍ରଶିକ୍ଷଣ ପ୍ରାପ୍ତ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ଦୁଗ୍ଧରୁ ପ୍ରସ୍ତୁତ ଦହି, ଛେନା, ମିଠାଦହି, ପେଡା,ରସାବଳୀ, ଛେନାପୋଡ, ଛେନାମହୁଆ, ପନିର ଓ ଦେଶୀ ଗୁଆଘିଅ ପ୍ରଭୃତିକୁ କିଭଳି ଆଲୁମିନିୟମ୍ ଜରିରେ ପ୍ୟାକ୍ କରି ପରେ ନାବାର୍ଡ ପ୍ରଦତ ଝୋଟ ବ୍ୟାଗ୍ରେ ଭର୍ତି କରି ତାକୁ ବଜାରକୁ ବିକ୍ରୟ ପାଇଁ ପଠାଉଛନ୍ତି ସେ ସମ୍ପର୍କରେ ଖୋଲାଯାଇଥିବା ଷ୍ଟଲ୍ ରେ ପ୍ରଦର୍ଶନ ପୂର୍ବକ ଅତିଥିମାନଙ୍କୁ ବୁଝାଇଥିଲେ । ଏହାପରେ ପ୍ରଶିକ୍ଷାର୍ଥୀମାନେ ପ୍ରତିଷ୍ଠା କରିଥିବା ଏକ ଦୁଗ୍ଧଜାତ ଦ୍ରବ୍ୟ ୟୁନିଟ ଓ ମାର୍କେଟିଙ୍ଗ ଷ୍ଟଲକୁ ମଧ୍ୟ ଅତିଥିମାନେ ବୁଲି ଦେଖିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ସଫଳତାର ସହିତ ପ୍ରଶିକ୍ଷଣ ପୂର୍ବକ ସ୍ୱାବଲମ୍ବି କରିପାରିଥିବାରୁ ନାବାର୍ଡ ଏବଂ ରାଇଡ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଅତିଥି ଓ ଗ୍ରାମବାସୀମାନେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *