ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲ ଘଟଣା: ହେଲଥ କେଆର ନର୍ସିଂହୋମ ସିଲ କଲା ପୋଲିସ୍

କେନ୍ଦ୍ରାପଡ଼ା, ୧୯/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରିବା ଘଟଣାରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଶନିବାର ହେଲଥ କେଆର ନର୍ସିଂ ହୋମକୁ ସିଲ କରିଛି । କେନ୍ଦ୍ରାପଡା ସହରର ପୁରୁଣା ମେଡିକାଲ ରୋଡସ୍ଥିତ ଅନୱାର ଅଲ୍ଲୀ ଖାନ୍ ଙ୍କ ହେଲଥ କେଆର ନର୍ସିଂ ହୋମକୁ ଟାଉନ ଥାନା ପୋଲିସ ସିଲ କରିଛି । ପୌରନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ମାଜିଷ୍ଟେଟ ଭାବରେ କେନ୍ଦ୍ରାପଡା ତହସିଲଦାର ତାପସରଞ୍ଜନ ଦେହୁରୀ, ଏଡିଏମଓ ଡା. ସଚ୍ଚିଦାନନ୍ଦ ମିଶ୍ର ଏବଂ ଡା. ନୃପେନ ଶତପଥୀ ପ୍ରମୁଖଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ହେଲଥ କେଆର ନର୍ସିଂ ହୋମକୁ ସିଲ କରିଥିଲା । କିନ୍ତୁ ଦୀର୍ଘଦିନ ହେବ ଗିରଫ ହେବା ଭୟରେ ନର୍ସିଂହୋମର ମାଲିକ ଅନୱାର ଅଲ୍ଲୀ ଖାନ୍ ଫେରାର ଅଛନ୍ତି । ଜାଲ କାଗଜପତ୍ର ବଳରେ ନର୍ସିଂ ହୋମ ଚଳାଉଥିବା ପ୍ରଶାସନ ସ୍ପଷ୍ଟ ହେବା ପରେ ଏବଂ ଥାନାରେ ଏତଲା ଦିଆଯିବା ପରେ ମଧ୍ୟ ନର୍ସିଂହୋମକୁ କାହିଁକି ସିଲ କରାଯାଇ ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ନୂତନ ନିୟମ ଅନୁଯାଇ ହେଲଥ କେଆର ନର୍ସିଂହୋମର ଅଗ୍ନିସୁରକ୍ଷା ଅନୁମତି ନଥିବାରୁ ନର୍ସିଂହୋମ ପକ୍ଷରୁ ଅଗ୍ନିସୁରକ୍ଷା ଅନୁମତି ପତ୍ର ପ୍ରାପ୍ତ ନିମନ୍ତେ ପୌର ନିର୍ବାହୀ ଅଧିକାରୀ ଶ୍ରୀ କରଙ୍କ ଦସ୍ତଖତକୁ ଜାଲିଆତି କରି ଏଥିନିମନ୍ତେ ଆବଶ୍ୟକ ପଡୁଥିବା ନର୍ସିଂହୋମ ବିଲଡିଂର ପ୍ଲାନ ଅନୁମୋଦନ ହୋଇଥିବା କାଗଜାଦ ଆବେଦନପତ୍ର ସହିତ କଟକ ମଣ୍ଡଳ ଅଗ୍ନିଶମ ବିଭାଗକୁ ପଠାଇଥିଲା । ହେଲେ କାଗଜପତ୍ର ଯାଂଚ ବେଳେ ଅଗ୍ନିଶମ ବିଭାଗ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଓ ତାଙ୍କ ଦସ୍ତଖତ ଅସଲି କି ନକଲି ତାହା ଜାଣିବା ପାଇଁ ଚାହିଁବାରୁ ଏହା ଜାଲ ଥିବା ଜଣାପଡିଥିଲା । ନିର୍ବାହୀ ଅଧିକାରୀ କହିଥିଲେ ଯେ ଏହି ନର୍ସିଂହୋମ କୋଠାର ପ୍ଲାନ ସେ ଅନୁମୋଦେନ କରିନାହାନ୍ତି । କିନ୍ତୁ ତାଙ୍କ ଦସ୍ତଖତ ଥାଇ ପ୍ଲାନ ଅନୁମୋଦନ ହୋଇଥିବା ନିର୍ବାହୀ ଅଧିକାରୀ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତିକରି ଟାଉନ ଥାନା ପକ୍ଷରୁ ଏକ ମାମଲା ନର୍ସିଂ ହୋମ ମାଲିକ ଅନୱାର ଅଲ୍ଲୀ ଖାନ୍ ଙ୍କ ନାମରେ ରୁଜୁ ହୋଇଥିଲା ।

Leave a Reply

Your email address will not be published. Required fields are marked *