ଭୁବନେଶ୍ୱର,୨୯/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା (ଏଆଇ) ଉପରେ ଦକ୍ଷତା ବିକାଶ” କର୍ମଶାଳା ଆଜି ଉଦ୍ଘାଟିତ ହୋଇଯାଇଛି। ଆଜିର ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ଆଜିର କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି ରାଉତ, ଆଇଆଇଟି ମାଡ୍ରାସର ଶିକ୍ଷାବିତ୍ ଶ୍ରୀ ଏସ. ନିଥି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଧରଣୀଧର ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଶିକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ଉପଯୋଗ, କୃତ୍ରିମ ବୁଦ୍ଧିମତା ଉପରେ ଉଚ୍ଚକୋଟୀର ଗବେଷଣା ଏବଂ ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତ୍,ଗବେଷକ, ପ୍ରଶାସନିକ ଅଧିକାରୀମାନେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଯେପରି ଦକ୍ଷ ହୋଇପାରିବେ ଏବଂ ଏହାର ସଠିକ କାର୍ଯ୍ୟାନ୍ଵୟନ କରିପାରିବେ, ସେ ଦିଗରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।
ଆଜି କର୍ମଶାଳାର ପ୍ରଥମ ଦିନରେ କୃତ୍ରିମ ବୁଦ୍ଧିମତାର ବେସିକ୍ କନସେପ୍ଟ, ଶିକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗିତା ଏବଂ ବିଭିନ୍ନ ଫ୍ରି ଏଆଇ ମୋବାଇଲ ଆପ୍ ସମ୍ବନ୍ଧରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇବା ସହ ଏଆଇର ସଠିକ କାର୍ଯ୍ୟାନ୍ଵୟନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ “କୃତ୍ରିମ ବୁଦ୍ଧିମତା ଦକ୍ଷତା ବିକାଶ କର୍ମଶାଳା” ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ।
-0-
ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
()
