ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ କ୍ଷ କ୍ଷତି ପୂରଣ ଦାବିରେ ୧୦ ଘଣ୍ଟା ଧରି ଶବ ଅଟକି ରହିଲା

ସାକ୍ଷୀଗୋପାଳ ୧୮/୧୦/୨୦୨୪ (ଓଡ଼ିଶା ସମାଚାର)- ସତ୍ୟବାଦୀ  ବ୍ଲକ ଅନ୍ତର୍ଗତ  ଦାସବିଦ୍ୟାଧରପୁର ପଞ୍ଚାୟତର  ଭୀମପୁର ଦଳିତ ସାହିର ଡୁଗୁନା ଭୋଇ (୪୮) ଆଜି ସକାଳ ପ୍ରାୟ ୮ଟା ସମୟରେ ଭୀମ ପୁର ଗହୀରକୁ ଧାନ ବିଲ ବାଛିବା ନିମନ୍ତେ ଯାଇଥିଲେ । ଗହୀର ବିଲ ମଧ୍ୟରେ ଏକ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇ ରହିଅଛି । ଫଳରେ  ବିଲ ମଝିରେ ବିଦ୍ୟୁତ୍ ତାର ଝୁଲି  ରହିଅଛି ।  ସକାଳୁ ଧାନ  ବିଲକୁ ଯାଉଥିବା ସମୟରେ  ଓହଳି ରହିଥିବା ବିଦ୍ୟୁତ୍ ତାର ଆଘାତରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା  । ସକାଳ ପ୍ରାୟ ୯ଟା ସମୟରେ ଅନ୍ୟ ଚାଷୀ ବିଲକୁ ଯିବା ସମୟରେ ଧାନ  ବିଲରେ  ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଜଣା ପଡିଥିଲା । ଖବର ପାଇ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀ ମାନେ ଗାଈ ବାଟିଆ ଓ ଚାଳିଶ ବାଟିଆ ରାସ୍ତା ଉପରେ ଶବ ରଖି କ୍ଷତି ପୂରଣ ଦାବି କରିଥିଲେ ।

ପରେ ଖବର ପାଇ ସତ୍ୟବାଦୀ ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ସାହୁ ଓ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ୟ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳାଚଳ ପାତ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ । ତ୍ରିଲୋଚନ ରଥ, ଉମେଶ ଚନ୍ଦ୍ର ପ୍ରଧାନ, ବିଭୂ ପ୍ରସାଦ ରଥ ଓ ମନୋଜ କୁମାର ରଥ ପ୍ରମୁଖ ଆନ୍ଦୋଳନ କାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।  ଆନ୍ଦୋଳନକାରୀ ମାନେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ଓ ପରିବାରର ଜଣକୁ ଚାକିରୀ ଦାବି କରିଥିଲେ । ଦୀର୍ଘ ୧୦ଘଣ୍ଟା ଧରି ଆଲୋଚନା ପରେ ମୃତକଙ୍କ ପରିବାରକୁ ଏକ ମାସ ମଧ୍ୟରେ ୪ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ଓ ପରିବାରର ଜଣକୁ ଚାକିରୀ ପ୍ରଦାନର ପ୍ରତିଶୃତି ପ୍ରଦାନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସତ୍ୟବାଦୀ ପୋଲିସ ଶବଟିକୁ ଜବତ କରି ପଞ୍ଚାନାମା ପରେ ଶବଟିକୁ ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେ ।ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡ଼ିଅଛି ।

ଭୀମ ପୁର ଗହୀରରେ ଏକ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇ ବିଦ୍ୟୁତ ତାର ଓହଳି ରହିଅଛି ବୋଲି ଭୀମ ପୁର ଗ୍ରାମବାସୀ ଗତ ଏକ ମାସ ତଳେ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ୟ୍ୟାଳୟରେ ଜଣାଇଥିଲେ ବୋଲି ଗ୍ରାମବାସୀ ଗତ ଏକ ମାସ ତଳେ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ୟ୍ୟାଳୟରେ ଜଣାଇଥିଲେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ବିଦ୍ୟୁତ ଖୁଣ୍ଟ ସିଧା କରିବା ସହିତ ଓହଳି ରହିଥିବା ବିଦ୍ୟୁତ ତାର ଟାଣି ନେଇଥିଲେ ଏହି ଘଟଣା ଘଟି ନ ଥାନ୍ତା ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଥିଲେ  ।

Leave a Reply

Your email address will not be published. Required fields are marked *