ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ

ପୁରୀ, ୧୮/୧୦/୨୦୨୪ (ଓଡ଼ିଶା ସମାଚାର)-   ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଦୁର୍ବୃତ୍ତ ପଶ୍ଚିମଦ୍ୱାର ନିକଟରେ ଭୁଜାଲିରେ ହାଣିଛନ୍ତି। ଆକ୍ରମଣରେ ପ୍ରତିହାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର କହୁଣି ଓ ମଣିବନ୍ଧରେ ଆଘାତ ଲାଗିଛି। ଏହି ଦୁଇଟି ସ୍ଥାନରେ ଷ୍ଟିଚ୍‌ ପଡ଼ିଛି। ପିଠି ଓ ହାତରେ ମଧ୍ୟ ଆଘାତ ଲାଗିଛି, କିନ୍ତୁ ଷ୍ଟିଚ୍‌ର ଆବଶ୍ୟକତା ନାହିଁ। ତେବେ ଏକ୍ସରେ କରାଯାଉଛି। ସନ୍ଧ୍ୟା ପ୍ରାୟ ୬ଟାରେ ସେ ପଶ୍ଚିମ ଦ୍ୱାର ନିକଟରେ ଗାଡ଼ି ରଖି ଶ୍ରୀମନ୍ଦିରକୁ ଆସୁଥିବା ବେଳେ ତାଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି ।  ପୋଲିସ ଖବର ପାଇ ପ୍ରଥମେ ଘଟଣାସ୍ଥଳ ଓ ପରେ ମେଡିକାଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି। ଏସ୍‌ପି ବିନୀତ ଅଗ୍ରଓ୍ବାଲ ଏବଂ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମେଡିକାଲରେ ପହଞ୍ଚତ୍ ପ୍ରତିହାରୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ପ୍ରତିହାରୀଙ୍କ ଉପରେ ଆକ୍ରମଣକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କଡ଼ା ନିନ୍ଦା କରିଛନ୍ତି । ଉକ୍ତ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆରକ୍ଷୀ ଅଧୀକ୍ଷକ ଏବଂ ଜିଲାପାଳଙ୍କୁ ଅବଗତ କରାଯାଇଛି। କୌଣସି ପ୍ରକାର ଅସାମାଜିକ ତତ୍ତ୍ବଙ୍କୁ ଶ୍ରୀମନ୍ଦିର ପରିସରରେ ବରଦାସ୍ତ କରାଯିବ ନାହିଁ। ଘଟଣାକୁ ଗୁରୁତ୍ୱର ସହ ନେଇ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ମୁଖ୍ୟ ପ୍ରଶାସକ ପାଢ଼ୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ପ୍ରତିହାରୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *