ମାହାଙ୍ଗା ୧୫/୧୦/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗାରେ କିଏହେବେ ବିଜେପିର ମଙ୍ଗୁଆଳ ? ଏହାକୁ ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ, ବିଧାୟକ ଶାରଦା ପ୍ରଧାନଙ୍କ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଗତ ସାଧାରଣ ନିର୍ବାଚନରେ ବିଜେପି ନେତା ଶାରଦା ପ୍ରଧାନଙ୍କୁ ଦଳ ଟିକେଟ ନଦେବାରୁ ସେ ସ୍ୱାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ । ଦଳରୁ ନିଲମ୍ବିତ ହେବା ସତ୍ୱେ ଶାରଦା ଭୋଟ ଜିତିବା ତା’ଙ୍କ ଲୋକ ପ୍ରିୟତାର ବଡ଼ ନିଦର୍ଶନ ବୋଲି ଚର୍ଚ୍ଚା ହୁଏ ।
ଭାଜପା ଟିକେଟରେ ମାହାଙ୍ଗାରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ସୁମନ୍ତ ଘଡେଇ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ବିଫଳ ହେବାରୁ, ଦଳର ଶୀର୍ଷ ନେତାଙ୍କ ନିର୍ଦ୍ଦେଶରେ ମାହାଙ୍ଗାରେ ଶାରଦା ଗୋଷ୍ଠୀର ଦଳୀୟ ପତାକାରେ ସଦସ୍ୟତା ସଂଗ୍ରହ ସମାବେଶକୁ ନେଇ ସରଗରମ ହୋଇଛି ମାହାଙ୍ଗା ରାଜନୀତି । ବିଜେପି ସାଂସଦ, ବିଧାୟକ, ଦଳୀୟ କାର୍ୟ୍ୟକର୍ତ୍ତା ମାନଙ୍କୁ ନେଇ ଶାରଦା ଅନୁଗତଙ୍କ କୁଆଁପାଳ ଠାରେ ଆୟୋଜିତ ବିରାଟ ସମାବେଶ ସୁମନ୍ତ ଙ୍କ ଶିବିରରେ ନୈରାଶ ଖେଳାଇ ଦେଇଛି । ମଞ୍ଚରେ ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନ ନଥିଲେହେଁ , ଗେରୁଆମୟହୋଇଥିଲା ସଭାସ୍ଥଳୀ । ଆମେ ଭାଜପାର ଲଢୁଆ କାର୍ୟ୍ୟକର୍ତ୍ତା, ସଂଗଠକ ଏବଂ ସୈନିକ ଭାବେ ଦଳକୁ ଆହୁରି ମଜଭୂତ କରିବୁ ବୋଲି ଶହଶହ କର୍ମୀ ଶପଥ ନେଇଥିଲେ ।
ଏହି କାର୍ୟ୍ୟକ୍ରମରେ ୬୪ ପଞ୍ଚାୟତରୁ ୩୦୯ ବୁଥ୍ ର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ । ସମାବେଶରେ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ,ବିଧାୟକ ପ୍ରକାଶ ସେଠୀ,ବିଜେପି ସଦସ୍ୟତା ଅଭିଯାନ ମୁଖ୍ୟ ସୁଦୀପ୍ତ ରାୟ,ଅଭୟ ବାରିକ,ବୁଲୁ ଚକ୍ରବର୍ତ୍ତୀ,ଯାଜ୍ଞସେନୀ ଯେନା, କନକଲତା ବେହେରା,ଜିତେନ୍ଦ୍ର ଶତପଥୀ,ମନୋରଞ୍ଜନ ନାୟକ, ଦେବେନ୍ଦ୍ର ସାହୁ, ଭକ୍ତ ଚରଣ ସ୍ୱାଇଁ, ନିର୍ମଳ ରାଉତ ପ୍ରମୁଖ ବହୁ ନେତୃ ମଣ୍ଡଳୀ ଯୋଗଦେଇଥିଲେ । ଶାରଦାଙ୍କ ହାତକୁ ଭାଜପା ନେତୃତ୍ୱ ଖୁବ ଶୀଘ୍ର ଯାଉଥିବା ଆଜିର ସମାବେଶରୁ ବାରିହୋଇ ପଡୁଥିଲା । ବେଶ୍ କିଛିଦିନ ହେବ ଶାରଦା – ସୁମନ୍ତ କଳି ବିରୋଧୀଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଉଥିବା ବେଳେ କିଏ ଧରିବ ମାହାଙ୍ଗା ବିଜେପିର ମଙ୍ଗ, ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଶାରଦାଙ୍କ ସମର୍ଥକ ମାନେ ଆଜି ବିଜେପିର ରାଜ୍ୟ ଓ ଜିଲ୍ଲା ନେତୃ ମଣ୍ଡଳୀଙ୍କ ସହିତ ସଦସ୍ୟତା ସଂଗ୍ରହ ଅଭିଯାନ ମଞ୍ଚରେ ଏକତ୍ରିତ ହୋବା ପରେ ଦଳରେ ସୁମନ୍ତ ଘଡେଇ କୋଣଠେସା ହେବା ଚର୍ଚ୍ଚା ହେଉଛି । ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାରେ ସୁମନ୍ତ ବସ୍ତୁତଃ ବିଫଳ ହୋଇଥିବା ଉପଲବ୍ଧି କରି କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶରେ ସାରଦାଙ୍କୁ ଓ ତାଙ୍କ ଅନୁଗତ ମାନଙ୍କୁ ଦଳର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଶୀର୍ଷ ନେତୃତ୍ୱ ଚାହୁଁ ଥିବା କୁହାଯାଉଛି ।
ମାହାଙ୍ଗା ରେ ବିଜେପିର ସଦସ୍ୟତା ସଂଗ୍ରହ ସମାବେଶ ରେ ଶାରଦାଙ୍କ ଅନୁଗତ : ଦଳର ମୁଖ୍ୟ ସ୍ରୋତକୁ ଫେରିବେକି ଶାରଦା ?
