ଦକ୍ଷତା ବିକାଶ କାର୍ଯ୍ୟକ୍ରମ ର ସମୀକ୍ଷା ବୈଠକ

 ବ୍ୟାସନଗର, ୦୮/୧୦/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲାରେ ବିଭିନ୍ନ ସରକାରୀ ଓ ପ୍ରତିଷ୍ଠିତ ବେସରକାରୀ ଶିଳ୍ପ ସଂସ୍ଥାଗୁଡିକ ମାଧ୍ୟମରେ ଚାଲୁ ରହିଥିବା ବିଭିନ୍ନ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଳିଙ୍ଗନଗର ବିକାଶ ପ୍ରାଧିକରଣ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଶ୍ରୀ ସପନ କୁମାର ନନ୍ଦ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ସମେତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ଅଧ୍ୟକ୍ଷ ବହୁବୃତ୍ତି ବୈଷୟିକ ଶିକ୍ଷା ଅନୁଷ୍ଠାନ, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ଅନୁଷ୍ଠାନ, ତାଲିମ ଭାର ପ୍ରାପ୍ତ ସି.ଟି.ଟି.ସି.,  ନିର୍ଦ୍ଦେଶକ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ଅନୁଷ୍ଠାନ, ତାଲିମ ମୁଖ୍ୟ, ଟାଟା ଧନ୍ଦାମୂଳକ ତାଲିମ ଅନୁଷ୍ଠାନ ଏବଂ ଜନ ଶିକ୍ଷଣ ସଂସ୍ଥା ର ନିର୍ଦ୍ଦେଶକ ଙ୍କ ସମେତ ଟାଟା, ଜିନ୍ଦଲ, ଭିସା, ଇମ୍ଫା, ଜେ. ଏସ. ଡବ୍ଲୁ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ, ଭିସିଆଇ କେମିକାଲ,  ୟାଜଦାନ ଷ୍ଟିଲ ଇତ୍ୟାଦି ଅନେକ ଗୁଡ଼ିଏ ଶିଳ୍ପାନୁଷ୍ଠାନ ଗୁଡ଼ିକର ଏଚ. ଆର ମୁଖ୍ୟ ଏବଂ ସି. ଏସ୍.ଆର ମୁଖ୍ୟମାନେ ଯୋଗ ଦେଇଥିଲେ।

ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକର ଆବଶ୍ୟକ ଥିବା ଦକ୍ଷ କର୍ମଚାରୀ ସୃଷ୍ଟି କରିବା ସହିତ ଶିଳ୍ପ ସଂସ୍ଥା ଗୁଡ଼ିକର ଭବିଷ୍ୟତର ସମ୍ଭାବ୍ୟ କୁଶଳୀ ଚାହିଦାକୁ ପୂରଣ ନିମନ୍ତେ ବିଭିନ୍ନ ଦକ୍ଷତା ବିକାଶ ତାଲିମର ପ୍ରସ୍ତୁତ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।

ଜିଲ୍ଲାରେ ବିଭିନ୍ନ ସରକାରୀ ଏବଂ ବେସକାରୀ ତାଲିମ ଅନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ମାଧ୍ୟମରେ ପ୍ରଦାନ କରାଯାଉଥିବା ଦକ୍ଷତା ବିକାଶ ତାଲିମ ଏବଂ ଧନ୍ଦାମୂଳକ ତାଲିମ ମାଧ୍ୟମ ରେ ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବା ଏହି ବୈଠକ ର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ବୈଷୟିକ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡିକର ସରଞ୍ଜାମ,  ଯନ୍ତ୍ରପାତି ଓ ଭିତ୍ତିଭୂମିର ବିକାଶ ଏବଂ ସୁକିନ୍ଦା ଓ ଦାନଗଦି ଅଞ୍ଚଳରେ ନୂତନ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରତିଷ୍ଠା ନେଇ ସମୀକ୍ଷା କରାଯାଇଥିଲା। ଏହି ବୈଠକ ରେ ଶିଳ୍ପାନୁଷ୍ଠାନ ଗୁଡିକରେ ସ୍ଥାନୀୟ କୁଶଳୀ ଯୁବକ/ଯୁବତୀ ମାନଙ୍କୁ ଶିକ୍ଷାନବିସ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ସଂଖ୍ୟାରେ ନିୟୋଜନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏହି ବୈଠକକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ନାଏକ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବସ୍ତୀ ପରିଚାଳନା କରିବା ସହିତ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ଶ୍ରୀ ରାକେଶ କୁମାର ନାୟକ, କନିଷ୍ଠ ସହାୟକ ଶ୍ରୀ ଦେବଦତ୍ତ ରାଉତ ଏବଂ ଶ୍ରୀ ହିମାଂଶୁ ଶେଖର ବେହେରା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *