ଜଗତସିଂହପୁର ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଜଗତସିଂହପୁର, ୦୮/୧୦/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ସ୍ଥାନୀୟ ଏସ୍ କେ ଏକାଡେମୀ ପରିସରରେ ଜଗତସିଂହପୁର ବ୍ଲକ୍ ଓ ପୌର ପରିଷଦର ମିଳିତ ଆନୁକୁଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଜଗତସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ସରକାରଙ୍କ ତରଫରୁ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ତେଣୁ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭାଇଭଉଣୀମାନେ ଏହାର ଲାଭ ଉଠାଇ ଉପକୃତ ହେବା ଆବଶ୍ୟକ। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା,ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ରତିରଞ୍ଜନ ବେହେରା,ପୌର ନିର୍ବାହୀ ଅଧିକାରୀ ସୀମା ଜେନା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ଭିନ୍ନକ୍ଷମ ମାନଙ୍କର ପରୀକ୍ଷା କରାଯାଇଥିଲା।ଏହି ଶିବିର ରେ ମୋଟ ୫୪୨ ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ୧୮ ଜଣଙ୍କୁ ନାକଚ ଓ ୧୨ ଜଣଙ୍କୁ କଟକ ବଡ ମେଡିକାଲ କୁ ପୁନଃ ପରୀକ୍ଷା ନିମନ୍ତେ ପଠାଯାଇଥିଲା।ଏହି ଶିବିର ରେ ଅସ୍ଥି ଶଲ୍ୟ ବିଭାଗରେ ୧୯୮, କର୍ଣ୍ଣ ରେ ୪୭, ଭେଷଜ ବିଭାଗ ରେ ୩୪, ଚକ୍ଷୁ ବିଭାଗରେ ୬୧, ମାନସିକ ଅନଗ୍ରସର ୧୪୨, ସ୍ନାୟବିକ ଅନଗ୍ରସର ୫୦ ଏଵଂ ଶିଶୁ ରୋଗ ବିଭାଗରେ ୧୦ ଜଣ ଙ୍କ ର ପରୀକ୍ଷା କରଯାଇଥିଲା।

Leave a Reply

Your email address will not be published. Required fields are marked *