ନାବାଳକଙ୍କୁ ଆକ୍ରମଣ କରି ଲୁଟ୍ ଘଟଣାରେ ଆଉ ଜଣେ ଗିରଫ

ଗିରଫଦାରି ସଂଖ୍ୟା ୩କୁ ବୃଦ୍ଧି
ଭୁବନେଶ୍ୱର,୦୯/୦୯/୨୦୨୫ (ଓଡ଼ିଶା ସମାଚାର)- ଜଣେ ନାବାଳକଙ୍କୁ ରାସ୍ତାରେ ଅଟକାଇ ଆକ୍ରମଣ କରିବା ଏବଂ ତାଙ୍କ ଠାରୁ ଟଙ୍କା ଲୁଟ୍ କରିବା ମାମଲାରେ ଇମଫୋଭ୍ୟାଲି ଥାନା ପୋଲିସ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ରଘୁଧର ବାରିକ ଓରଫ ରଘୁଆ (୩୧) ଓ ତାଙ୍କ ଘର ଗଙ୍ଗପଡ଼ା ଗାଁରେ ବୋଲି ଜଣାପଡ଼ିଛି । ଏନେଇ ବିକ୍ରମ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାରେ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୦ ତାରିଖରେ ଅଭିଯୋଗକାରୀଙ୍କ ପୁଅ ଶୁଭମ ଏବଂ ଝିଅ ଉଭୟେ ରାତି ପ୍ରାୟ ୨ଟା ସମୟରେ ଗଙ୍ଗାପଡ଼ା ଗ୍ରାମ ମେଳାରୁ ଘରକୁ ଫେରୁଥିବା ସମୟରେ, ଅଭିଯୁକ୍ତମାନେ ଗିରିଆ ପ୍ରଧାନ, ଦିପକ ପ୍ରଧାନ, ଜଗନ ଭଟ୍ଟା, ରଘୁଆ ଓରଫ ରଘୁଧର ବାରିକ ଓରଫ ଧର୍ମେନ୍ଦ୍ର ବାରିକ, ଏବଂ ଟୁଂପା ରାଉତ ସେମାନଙ୍କୁ ଅଟକାଇଥିଲେ । ପରେ ଆକ୍ରମଣ କରିଥିଲେ ଏବଂ ହତ୍ୟା ଧମକ ଦେଇ ଶୁଭମଙ୍କ ପକେଟରୁ ଜୋରଜବରଦସ୍ତି ୮ଶହ ଟଙ୍କା ଛଡ଼ାଇ ନେଇଥିଲେ । ଅଭିଯୁକ୍ତ ଗିରିଆ ଓରଫ ଲମ୍ବୋଧର ପ୍ରଧାନଙ୍କୁ ଏପ୍ରିଲ ୨୪ ତାରିଖରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ।

ମାମଲାରେ ସଂପୃକ୍ତ ଅନ୍ୟ ସହ-ଅଭିଯୁକ୍ତ ଦିପକ ପ୍ରଧାନ, ଜଗନ ଭଟ୍ଟା ଏବଂ ରଞ୍ଜନ କୁମାର ରାଉତ ଓରଫ ଟୁଂପାଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ବିଶ୍ୱସ୍ତ ସୂଚନା ଆଧାରରେ କାର୍ଯ୍ୟ କରି, ମଙ୍ଗଳବାର ଇନ୍ଫୋଭ୍ୟାଲି ପୋଲିସ୍ ଗଙ୍ଗାପଡ଼ା ଖେଳପଡ଼ିଆରୁ ଅଭିଯୁକ୍ତ ରଘୁଆ ଓରଫ ରଘୁଧର ବାରିକ ଓରଫ ଧର୍ମେନ୍ଦ୍ର ବାରିକଙ୍କୁ ଗିରଫ କରିଥିଲେ ।

Leave a Reply

Your email address will not be published. Required fields are marked *